ଆଜି ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ ବର୍ଷା ହେବ। ଆସନ୍ତା ୨୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସମ୍ଭାବନା ଅଛି। ଏହା ପରେ ବର୍ଷା ପରିମାଣ ଆହୁରି ବଢ଼ିପାରେ। ଏହି ପରିପ୍ରେକ୍ଷୀରେ ବୁଧବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ସମ୍ବଲପୁର, ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପରବର୍ତ୍ତୀ ଦୁଇଦିନ ମଧ୍ୟ ଏଭଳି ବର୍ଷା ସମ୍ଭାବନା ଅଛି ।
ସୂଚନା ଯେ, ମଙ୍ଗଳବାର ଭୁବନେଶ୍ୱର, ଛତ୍ରପୁର, କଟକରେ ପ୍ରବଳ ବର୍ଷା ହୋଇଛି। ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ଭୁବନେଶ୍ୱରର ରାଜଭବନ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ୭୭.୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବିମାନବନ୍ଦର ଇଲାକାରେ ୭୫.୫ ମିମି ବର୍ଷା ହୋଇଥିଲା। କଟକରେ ୩୭ ମିମି ବର୍ଷା ହୋଇଥିଲା। ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଛତ୍ରପୁରରେ ୭୩ ମିମି, ନୟାଗଡ଼ରେ ୨୦.୨ ମିମି ବର୍ଷା ହୋଇଛି। ପାଣିପାଗ ବିଭାଗ କହିଛି, ମଙ୍ଗଳବାର ରାତି ଭିତରେ ରାଜ୍ୟର ଅନେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।