ଆଜି ଆସାମ ଓ ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ
ନୂଆଦିଲ୍ଲୀ : ଆସାମ ଓ ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଗୁରୁବାର ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ଆସାମର ୩୯ଟି ଓ ପଶ୍ଚିମବଙ୍ଗର ୩୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ସହିତ ଭିଭିପାଟ ମେସିନ ବ୍ୟବହାର ହେବ। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ୧୫ଶହ ପରିବର୍ତ୍ତେ ଏକ ହଜାର ମତଦାତାଙ୍କୁ ଭୋଟ ଦେବା ପାଇଁ ନିଷ୍ପତ୍ତି ହୋଇଛି। କୋଭିଡ ୧୯ ପଜିଟିଭ୍ ବ୍ୟକ୍ତିମାନେ ଡାକ ଯୋଗେ ଭୋଟ୍ ଦେଇପାରିବେ। ଭିନ୍ନକ୍ଷମ ଓ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିବିଶେଷ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିମାନେ ଡାକଯୋଗେ ଭୋଟ୍ ଦେଇପାରିବେ। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଭଳି ହାଇପ୍ରୋଫାଇଲ ନିର୍ବାଚନମଣ୍ଡଳୀ ନିମନ୍ତେ ମଧ୍ୟ ଭୋଟ ଗ୍ରହଣ ହେବ। ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ଶାନ୍ତି ଶୃଙ୍ଖଳା ଓ ଅବାଧ ମତଦାନ ନିମନ୍ତେ ସମଗ୍ର ନିର୍ବାଚନମଣ୍ଡଳୀରେ ୧୪୪ ଧାରା ଜାରି କରାଯାଇଛି। ଏଠାରେ ୨୨ କମ୍ପାନୀ କେନ୍ଦ୍ରୀୟ ନିରାପତ୍ତା ବାହିନୀ ମୁତୟନ କରାଯାଇଛି।
ପଶ୍ଚିମବଙ୍ଗରେ ୩୦ଟି ଆସନ ପାଇଁ ୪ଟି ଜିଲ୍ଲାର ୧୭୧ ଜଣ ପ୍ରାର୍ଥୀ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୯ ଜଣ ମହିଳା ସାମିଲ । ୩୭.୧୨ ଲକ୍ଷ ମହିଳା, ୮୯ ଜଣ କିନ୍ନରଙ୍କ ସମେତ ମୋଟ ୭୫.୯୫ ଲକ୍ଷ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ପର୍ଯ୍ୟାୟରେ ପୂର୍ବ ମେଦିନିପୁର ଜିଲ୍ଲାର ହାଇପ୍ରୋଫାଇଲ୍ ଆସନ ନନ୍ଦିଗ୍ରାମରେ ମଧ୍ୟ ଭୋଟ ଗ୍ରହଣ ହେବ । ଏହି ଆସନରୁ ଟିଏମ୍ସି ସୁପ୍ରିମୋ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବାବେଳେ ବିଜେପି ତାଙ୍କ ବିରୋଧରେ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରେ କିଏ ବିଜୟୀ ହେବ ତାହା ଉଭୟ ଟିଏମ୍ସି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇ ଉଭା ହୋଇଛି । ଅନ୍ୟପଟେ ଆସାମରେ ଏହି ପର୍ଯ୍ୟାୟରେ ୨୬ ଜଣ ମହିଳାଙ୍କ ସମେତ ୩୪୫ ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟପରୀକ୍ଷା କରୁଛନ୍ତି । ୧୩ଟି ଜିଲ୍ଲାର ୩୬.୦୯ ଲକ୍ଷ ମହିଳା,୧୩୫ କିନ୍ନରଙ୍କ ସମେତ ମୋଟ ୭୩.୪୪ ଲକ୍ଷ ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନ ପାଇଁ ୧୦,୫୯୨ଟି ପୋଲିଂ ବୁଥ ପ୍ରତିଷ୍ଠା କରାଯାଇଛି । ଏହି ପର୍ଯ୍ୟାୟରେ ବିଜେପିର ପୀୟୂଷ ହଜାରିକା, ବିଧାନସଭା ଉପବାଚସ୍ପତି ଅମିନୁଲ ହକ୍ ଲସ୍କର, କଂଗ୍ରେସର ସମ୍ ରୋଙ୍ଗହ୍ୟାଙ୍ଗ ପ୍ରମୁଖଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ ।