ତିରୁପତି ତିରୁମାଲା ଦେବସ୍ଥାନମରେ କମିବ ଦର୍ଶନାର୍ଥୀଙ୍କ ସଂଖ୍ୟା
![](https://thetruths.in/wp-content/uploads/2021/04/temple-Tirumala_Venkateswara-1024x683.jpg)
ତିରୁପତି ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଭାରତର ଅନ୍ୟତମ ପ୍ରମୁଖ ହିନ୍ଦୁ ମନ୍ଦିର ତିରୁପତି ତିରୁମାଲା ଦେବସ୍ଥାନମ (ଟିଟି୍ଡି) ଦର୍ଶନ ଟୋକେନ ଜାରି ନିୟମରେ ସଂଶୋଧନ କରିଛନ୍ତି। ଭେଙ୍କଟେଶ୍ୱରଙ୍କ ଦର୍ଶନ ଲାଗି ଟିଟିଡି ଦୈନିକ ୨୨ ହଜାର ଟୋକେନ ଜାରି କରୁଥିଲେ। ତେବେ ଏହି ସଂଖ୍ୟା ଏବେ ୧୫ ହଜାରକୁ ହ୍ରାସ କରାଯାଇଛି। ଟିଟିଡିର ଅତିରିକ୍ତ କାର୍ଯ୍ୟକାରୀ ଅଧିକାରୀ ଏ.ଭି ଧର୍ମରେଡ୍ଡୀ ଗୁରୁବାର ଏହି ସୂଚନା ଦେଇଛନ୍ତି।
ଟିଟିଡି ଭେଙ୍କଟେଶ୍ୱର ମନ୍ଦିରର ସଂରକ୍ଷକ। ଏଣୁ ମନ୍ଦିର ନେଇ ଟିଟିଡି ନିଷ୍ପତ୍ତି ନେଇଥାନ୍ତି। ଏଥିରେ ଦର୍ଶନ ଲାଗି ଅନଲାଇନ ବୁକିଂ ହେଉଥିବା ଟୋକେନ ସଂଖ୍ୟା ମଧ୍ୟ ହ୍ରାସ କରିବାକୁ ବିଚାର କରୁଛନ୍ତି। ଏବେ ଅନଲାଇନରେ ଦୈନିକ ୩୦୦ ଟିକେଟ୍ ବୁକିଂ ହେଉଛି। କରୋନା ପ୍ରୋଟକଲ ପାଳନ ସହ ସମସ୍ତଙ୍କ ସର୍ବୋତ୍ତମ ହୀତ ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ଧର୍ମ ରେଡ୍ଡୀ କହିଛନ୍ତି। ଏବେ ଦୈନିକ ଦର୍ଶନ ଲାଗି ଭକ୍ତଙ୍କ ନିମନ୍ତେ ମନ୍ଦିର ପକ୍ଷରୁ ସାନିଟାଇଜେସନ ମେସିନ ସ୍ଥାପନା କରାଯାଇଥିବା ବେଳେ ପ୍ରତି ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଅନିବାର୍ଯ୍ୟ କରାଯାଇଛି। କଟକଣାରେ ଭକ୍ତଙ୍କୁ ଦର୍ଶନ ଲାଗି ଆବଣ୍ଟିତ ସମୟର ଅଧଘଣ୍ଟା ପୂର୍ବରୁ ବୈକୁଣ୍ଠମ ଧାଡିରେ ପ୍ରବେଶ ଅନୁମତି ଦିଆଯାଉଛି। ମନ୍ଦିର ପ୍ରବନ୍ଧନ ଅଲିପିରୀ ଟୋଲ ଫାଟକ ମାଧ୍ୟମରେ ବାହନ ସାନିଟାଇଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଯେଉଁମାନଙ୍କର ଥଣ୍ଡା, କାସ ଅଥବା ଜ୍ୱର ଭଳି ସମସ୍ୟା ରହିଛି ସେମାନେ ଭେଙ୍କଟେଶ୍ୱରଙ୍କ ଦର୍ଶନରୁ ନିଜକୁ ନିବୃତ୍ତ ରଖିବାକୁ ନିବେଦନ କରାଯାଇଛି।