ନୂଆଦିଲ୍ଲୀ ରେଳ ଷ୍ଟେସନକୁ ମିଳିଲା ‘ପ୍ଲାଟିନମ୍ ଗ୍ରୀନ ଷ୍ଟେସନ ରେଟ୍’
ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀର ରେଲୱେ ଷ୍ଟେସନ୍ ନୂଆ ଏକ କୀର୍ତ୍ତିମାନ ନିଜ ନାମରେ କରିଛି । ଭାରତୀୟ ରେଳର ନୂଆଦିଲ୍ଲୀ ଷ୍ଟେସନ୍କୁ ଅନୁକୂଳ ପରିବେଶ ଯୋଗାଇଦେବା କାରଣରୁ ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନ୍ସେଲିଂ ଦ୍ୱାରା ପ୍ଲାଟିନମ୍ ଗ୍ରୀନ୍ ଷ୍ଟେସନ୍ ରେଟିଙ୍ଗ୍ ଦିଆଯାଇଛି ।
ଏହି ରେଟିଙ୍ଗ୍ ନୂଆଦିଲ୍ଲୀ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଉପଲବ୍ଧ କରାଯାଉଥିବା ସୁବିଧା ଏବଂ ଉନ୍ନତ ପରିବେଶକୁ ବିଚାର କରି ଦିଆଯାଇଥିବା ଜଣାପଡ଼ିଛି । ନୂଆଦିଲ୍ଲୀ ଷ୍ଟେସନ୍ର କିଛି ପ୍ରମୁଖ ବିଶେଷତ୍ୱ ମଧ୍ୟରେ ପରିବେଶ, ଜଳର ସୁବିଧା, ଶକ୍ତି ସଂରକ୍ଷଣ ଛଡ଼ା ଯାତ୍ରୀଙ୍କ ପାଇଁ ଅନୁକୂଳ ସୁବିଧା ଯଥା- ସ୍ୱାସ୍ଥ୍ୟ, ସ୍ୱଚ୍ଛତା ସାମିଲ୍ ରହିଛି । କହିରଖୁଛୁ ଯେ, ଏହା ପୂର୍ବରୁ ୨୦୧୮ରେ ଦିଲ୍ଲୀ ଷ୍ଟେସନ୍କୁ ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନ୍ସେଲିଂ ଦ୍ୱାରା ସିଲ୍ଭର୍ ଷ୍ଟେସନ୍ ରେଟିଙ୍ଗ୍ ପ୍ରଦାନ କରାଯାଇଥିଲା । ଏହାପରେ ଏଠାକାର ଅଧିକାରୀ ଏବଂ କର୍ମଚାରୀମାନେ ମିଳିତ ଭାବେ ଭଲ କାମ କରିବାକୁ ଲାଗିଲେ । ଫଳସ୍ୱରୂପ ସିଧା ପ୍ଲାଟିନମ୍ ରେଟିଙ୍ଗ୍ ହାସଲ କଲେ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ଏଥରକ ଯାତ୍ରୀଙ୍କ ଅନୁକୂଳ ବିଭିନ୍ନ ସୁବିଧା ବ୍ୟବସ୍ଥା,ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା; ଶକ୍ତି ଏବଂ ଜଳ ସଂରକ୍ଷଣ ପାଇଁ ଫଳପ୍ରଦ ପଦକ୍ଷେପ, ଷ୍ଟେସନରେ ସୌର ଶକ୍ତିର ଅତ୍ୟଧିକ ବ୍ୟବହାର, ଷ୍ଟେସନ ପରିସରରେ ଏଲଇଡି ଆଲୋକ ବ୍ୟବସ୍ଥା, ଜଳ ସଂରକ୍ଷଣରୁ ଜଳ ସଂଚୟ କରିବା, ଷ୍ଟେସନରେ ବର୍ଜ୍ୟ ଜଳ ବିଶୋଧନ ସୁବିଧା, ସୋଲାର ହିଟର ବ୍ୟବସ୍ଥା, ପ୍ଲାଷ୍ଟିକ୍ ଫ୍ରି ଷ୍ଟେସନ୍ କମ୍ପେ୍ଲକ୍ସ, ଇଲେକ୍ଟ୍ରିକ୍ ଚାର୍ଜିଂ ପଏଂଟ, ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍, ଫାର୍ମାସି ଏବଂ ଚିକିତ୍ସା ସୁବିଧା, ଭିନ୍ନକ୍ଷମଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ଏବଂ ପରିବେଶ ଅନୁକୂଳ ବିଭିନ୍ନ ପଦକ୍ଷେପ ନେଇଥିବା ହେତୁ ଦିଲ୍ଲୀ ରେଳ ଷ୍ଟେସନକୁ ପ୍ଲାଟିନମ୍ ଗ୍ରୀନ୍ ଷ୍ଟେସନ୍ ରେଟିଙ୍ଗ୍ ପ୍ରଦାନ କରାଯାଇଛି ।