ବାଲେଶ୍ୱର : ଆଉ ୩୧୪ କରୋନା ସଂକ୍ରମିତ ଚିହ୍ନଟ
ବାଲେଶ୍ୱର : ଦ୍ୱିତୀୟ ଲହରରେ କରୋନା କାୟା ବିସ୍ତାରକୁ ନେଇ ସବୁ ମହଲରୁ ଉଦବେଗ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି । ରାଜ୍ୟ ସୂଚନା ଓ ଲୋକସର୍ମ୍ପକ ବିଭାଗର ରିପୋର୍ଟ ଅନୁସାରେ ୨୪ ଘଂଟା ମଧ୍ୟରେ ଜିଲାରେ ଚିହ୍ନଟ ହୋଇଥିବା ୩୧୪ ଜଣ ସଂକ୍ରମିତଙ୍କ ମଧ୍ୟରେ ସହରର ସହଦେବଖୁଂଟାରୁ ୭ଜଣ, ନୂଆବଜାରରୁ ୪ଜଣ, ଭୋଇସାହିରୁ ୪ଜଣ, ଆଜିମାବାଦରୁ ୩ଜଣ, ଚିଡ଼ିଆପୋଲ ପାଖରୁ ୩ଜଣ, ମୋତିଗଞ୍ଜ ଅଞ୍ଚଳରୁ ୩ଜଣ, ତେଲେଙ୍ଗାସାହିରୁ ୩ଜଣ, ଜିଲା ମୁଖ୍ୟ ଚିକିତ୍ସାଳୟରୁ ୨ଜଣ, ଗୋପାଳଗାଁରୁ ୨ଜଣ, ମାଣିଖମ୍ବରୁ ୨ଜଣ, ମାକଲପୁରରୁ ୨ଜଣ, ନେଳିଆବାଗରୁ ୨ଜଣ, ସୁନହଟରୁ ୨ଜଣ, ଫକୀରମୋହନ ନଗରରୁ ୨ଜଣଙ୍କ ସମେତ ଏଫଏମ ଗୋଲେଇ, ଗଡ଼ଗଡ଼ିଆ ଛକ, ମଲିକାଶପୁର, ମଠସାହି, ଓଟି ରୋଡ଼, ପଠାଣମହଲା, ଷ୍ଟେସନଛକ ଓ ଟାଉନହଲ ପ୍ରଭୃତି ଅଞ୍ଚରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସଦର ବ୍ଲକରୁ ୪୩ଜଣ, ରେମୁଣା ବ୍ଲକରୁ ୨୨ଜଣ, ବାହାନଗା ବ୍ଲକରୁ ୩୮ଜଣ, ଖଇରା ବ୍ଲକରୁ ୬୦ଜଣ, ଔପଦା ବ୍ଲକରୁ ୧୬ଜଣ, ଜଳେଶ୍ୱର ବ୍ଲକରୁ ୩୭ଜଣ, ସୋର ବ୍ଲକରୁ ୨୧ଜଣ, ଭୋଗରାଇ ବ୍ଲକରୁ ୫ଜଣ, ବସ୍ତା ବ୍ଲକରୁ ୬ଜଣ, ସିମୁଳିଆ ବ୍ଲକରୁ ଜଣେ, ନୀଳଗିରି ବ୍ଲକରୁ ୭ଜଣ ଓ ବାଲିଆପାଳ ବ୍ଲକରୁ ୫ଜଣଙ୍କୁ ନୂଆ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତେ ସ୍ଥାନୀୟ ସଂକ୍ରମିତ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାଲେଶ୍ୱର ପୌରାଞ୍ଚଳର ସହଦେବଖୁଣ୍ଟାରୁ ୭ଜଣ, ବାହାନଗା ବ୍ଲକର ଅରାଡ଼ରୁ ୧୪ ଜଣ ଓ କୋଚିଆକୋଇଲିରୁ ୫ଜଣ, ଖଇରା ବ୍ଲକ ଡାଳନାଗରୁ ୧୦ଜଣ, ମଛଦାରୁ ୧୦ଜଣ, ସୌନ୍ଦିଆରୁ ୫ଜଣ ଓ ତୁଟାରୁ ୧୧ଜଣ ଏବଂ ସଦର ବ୍ଲକର ଡୁମୁରିଆରୁ ୧୪ଜଣ ଏକକାଳୀନ ସଂକ୍ରମିତ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଦ୍ୟାବଧି ୧୭ହଜାର ୦୪୭ରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ୧୪,୫୭୧ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବେ ବି ୨୩୭୧ ଜଣ ଆକ୍ରାନ୍ତ କୋଭିଡ ହସପିଟାଲ, କୋଭିଡ ଯତ୍ନ କେନ୍ଦ୍ର ଅଥବା ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ଅଦ୍ୟାବଧି ଜିଲାରେ ମୋଟ ୪ଲକ୍ଷ ୧୧ହଜାର ୪୯୨ଜଣ ଟିକା ନେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୩ ଳକ୍ଷ ୨୪ ହଜାର ୦୩୬ ଜଣ ପ୍ରଥମ ପାନ ଓ ୮୭ ହଜାର ୧୩୬ ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି । ତନ୍ମଧ୍ୟରୁୁ ୧ଲକ୍ଷ ୭୦ ହଜାର ୫୯୦ ଜଣ ପୁରୁଷ, ୧ଲକ୍ଷ ୫୩ ହଜାର ୭୨୯ ଜଣ ମହିଳା ଏବଂ ୩୭ ଜଣ ତୃତୀୟ ଲିଙ୍ଗୀ ଅଛନ୍ତି । ଏବେ ସୁଦ୍ଧା ୧,୫୮,୭୬୭ଜଣ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଟିକା ନେଇଥିବା ବେଳେ ୪୫ରୁ ୬୦ବର୍ଷ ମଧ୍ୟରେ ୧,୪୮,୯୪୪ଜଣ, ୩୦ରୁ ୪୫ ବର୍ଷ ମଧ୍ୟର ୧୧,୯୯୯ ଏବଂ ୧୮ରୁ ୩୦ବର୍ଷ ମଧ୍ୟରେ କୋଭିଡ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ୪୬୩୮ଜଣଥିବା ସୂଚନା ମିଳିଛି । ସମ୍ପ୍ରତି ସଂକ୍ରମଣ ରୋକିବାକୁ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ୭୦ ବର୍ଷରୁ ଊର୍ଦ୍ଧ୍ୱ ତଥା ଚଳପ୍ରଚଳ ରହିତ ବ୍ୟକ୍ତିଙ୍କ ପାଇଁ ମୋବାଇଲ ଟିକାକରଣ ବ୍ୟବସ୍ଥା ଆରମ୍ଭ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।