କୋଭିଡ଼ ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ଓ ଅଗ୍ନି ସୁରକ୍ଷା ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- କୋଭିଡ଼ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନା ଅଧିକ ଫି ନେଲେ ଦୃଢ଼ କାର୍ଯାନୁଷ୍ଠାନ
- ତୃତୀୟ ଲହରୀ ପାଇଁ ଏବେ ଠାରୁ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ
ଭୁବନେଶ୍ୱର : ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ ଅକ୍ସିଜେନ ସୁବିଧା ଉପରେ ୨୪ ଘଂଟିଆ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୋଭିଡ ଚିକିତ୍ସା କରୁଥିବା ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି ରଖ । ସେମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଭିତରେ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ । ଯଦି ସେମାନେ ଏହା ନ କରନ୍ତି, ତେବେ ସଂପୃକ୍ତ ହସ୍ପିଟାଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ କୋଭିଡ ସଂଖ୍ୟା ଥିବା ଅଂଚଳ ଗୁଡିକରେ ଟେଷ୍ଟିଂ, ଟ୍ରେସିଂ ଓ କେଂଟନମେଂଟକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଇସିୟୁ ଓ ଏଚଡିୟୁ ଦାୟିତ୍ୱରେ ଥିବା ଡାକ୍ତରମାନଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେଇ ସେମାନଙ୍କ ମତାମତ ଭିତିରେ ପଦକ୍ଷେପ ନିଅ । ଟୀକାକରଣ କାର୍ଯ୍ୟକ୍ରମ ପାଇଁ ତ୍ରୁଟି ଶୂନ୍ୟ ବ୍ୟବସ୍ଥା କରିବା , ବୟସ୍କ, ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକଙ୍କର ଯତ୍ନ ନେବା କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ ହସ୍ପିଟାଲ ଗୁଡିକରେ ହେଲ୍ପ ଲାଇନ ଗୁଡିକୁ ଅଧିକ କ୍ରିୟାଶୀଳ କରାଯାଉ ଏବଂ ରୋଗୀଙ୍କ ପରିବାର ବର୍ଗଙ୍କୁ ନିୟମିତ ସୂଚନା ଦିଆଯାଉ ।ଏଭଳି କଠିନ ସମୟରେ ଦୁଃଖ ଓ ଦୈନ୍ୟରେ ଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବ୍ୟବହାର କରି ସାହାଯ୍ୟ କର । ଏହି ଯୁଦ୍ଧ ବହୁତ ଲମ୍ବା । ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଲକ୍ଡାଉନ ଲାଗୁ କରାଯାଇଛି । ଏହା ଠିକ୍ ଚାଲିଥିଲେ ମଧ୍ୟ କେତେକ ସ୍ଥାନରେ ଏଥିରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମେ ସଫଳତା ପାଇଛୁ ଏବଂ ଏହି କୋଭିଡ ମହାମାରୀ କ୍ଷେତ୍ରରେ ମଧ୍ୟ ଏହା ହିଁ ଉପଯୁକ୍ତ ପନ୍ଥା । ତେଣୁ ସହରାଂଚଳରେ ସ୍ଥାନୀୟ ଜନସାଧାରଣ ଏବଂ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମାଂଚଳରେ ପଂଚାୟତ ପ୍ରତିନିଧି ମାନଙ୍କ ସକ୍ରିୟ ସହଯୋଗରେ ଲୋକଙ୍କ ସହାୟତା କରଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମହାମାରୀକୁ ନିୟନ୍ତ୍ରଣ କରିବାକୁ ଟୀକାକରଣ ହେଉଛି ଆମର ମୁଖ୍ୟ ରଣନୀତି । ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ହେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ମାସ୍କ ବ୍ୟବହାର, ହାତ ଧୁଆ ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ଅନାବଶ୍ୟକ ଭାବେ ବାହାରେ ନ ବୁଲି ଘରେ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।ବୈଠକରେ ଆଲୋଚନା ସମୟରେ ତୃତୀୟ ଲହରୀର ସମ୍ଭାବନା ସଂପର୍କରେ ତଥ୍ୟ ସଂଗ୍ରହ ସହିତ ସମ୍ଭାବ୍ୟ ମୁକାବିଲା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପୁରୀରେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଓ ସେମାନଙ୍କ ପରିବାରବର୍ଗଙ୍କ ସଂପୂର୍ଣ୍ଣ ଟୀକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ କୋଭିଡ ଅବଜରଭର ମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଅକ୍ସିଜେନ ବ୍ୟବସ୍ଥାର ୨୪ ଘଂଟିଆ ତଦାରଖ କରାଯାଉଛି । କୋଭିଡ କେୟାର କେନ୍ଦ୍ର ଗୁଡିକରେ ଅଧିକ ଆଇସିୟୁ ଓ ଭେଂଟିଲେଟର ଶଯ୍ୟାର ବ୍ୟବସ୍ଥା କରାଯାଇଛି ଏବଂ ଆହୁରି ଅଧିକ ଶଯ୍ୟା ପାଇଁ ପଦକ୍ଷେପ ଜାରି ରହିଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ ପି.କେ. ମହାପାତ୍ର କୋଭିଡ ପରିସ୍ଥିତି ଉପରେ ଏକ ଉପସ୍ଥାପନା ରଖି କହିଥିଲେ ଯେ ସାରା ବିଶ୍ୱରେ ବର୍ତମାନ ଭାରତର କୋଭିଡ ସଂକ୍ରମଣ ସଂଖ୍ୟା ୫୪ ପ୍ରତିଶତ ରହିଛି । ଓଡିଶାରେ ବର୍ତମାନର ସ୍ଥିତି ସଂପର୍କରେ ଆଲୋକପାତ କରି ସେ କହିଥିଲେ ଯେ ଓଡିଶାର କୋଭିଡ ସଂଖ୍ୟା ବର୍ତମାନ ଦେଶର କୋଭିଡ ସଂଖ୍ୟାର ୨.୭ ପ୍ରତିଶତ ରହିଛି । ସର୍ବଭାରତୀୟ ସ୍ତରରେ ମୃତ୍ୟୁ ହାର ୧.୦୯ ଓ ଓଡିଶାରେ ଏହା ୦.୪୦ ରହିଛି । ଖୋର୍ଦ୍ଧା ଓ କଟକ ଜିଲ୍ଲା ବ୍ୟତୀତ ଛତିଶଗଗଡ ସୀମାରେ ଜିଲ୍ଲା ଗୁଡିକରେ ଅଧିକ ପଜିଟିଭ କେସ୍ ରହୁଛି । ଓଡିଶାର ବର୍ତମାନ ଟେଷ୍ଟ ପଜିଟିଭିଟି ଗତ ୧୫ ଦିନ ଧରି ୨୦.୨ ରହିଛି । ରାଜ୍ୟରେ ବର୍ତମାନ ଦୈନିକ ୫୨.୯ ମେଟ୍ରିକ ଟନ୍ ଅକ୍ସିଜେନ ଖର୍ଚ୍ଚ ହେଇଛି । ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କୋଭିଡ ନିୟମାବଳୀର ଅନୁପାଳନ ଦିଗରେ ପୋଲିସର ପଦକ୍ଷେପ ସଂପର୍କରେ ସୂଚନା ଦେବା ସହିତ କହିଥିଲେ ଯେ କୋଭିଡ ନିୟମାବଳୀର ଉଲଘଂନ ପାଇଁ ବର୍ତମାନ ସୁଦ୍ଧା ୨୮ କୋଟି ୯୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବିଭିନ୍ନ କୋଭିଡ ଚିକିତ୍ସାଳୟରେ ଅଗ୍ନି ନିୟନ୍ତ୍ରଣ ସଂପର୍କରେ ନିଆଯାଉଥିବା ପଦକ୍ଷେପ ଉପରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ । ବୈଠକରେ ସମ୍ବଲପୁର, ବରଗଡ, ପୁରୀ, କଟକ ଓ ଭୁବନେଶ୍ୱର ମହାନଗର ନିଗମରେ କୋଭିଡ ପରିଚାଳନା ସଂପର୍କରେ ଜିଲ୍ଲାପାଳ ଓ କମିଶନର ମାନେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଥିଲେ ।