ଏଥର ସ୍ୱାଭାବିକ ରହିବ ମୌସୁମୀ

ଭୁବନେଶ୍ୱର : ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଉତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ୱାଭାବିକ ରହିବ । ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ । ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ କେରଳ ଉପକୂଳରେ ଛୁଇଁବ । ଆଇଏମ୍ ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ କେନ୍ଦ୍ରାଂଚଳ ମୁଖ୍ୟତଃ ମଧ୍ୟପ୍ରଦେଶ, ମହାରାଷ୍ଟ୍ରର କିଛି ଅଂଚଳରେ ଅଧିକ ବର୍ଷା ହୋଇପାରେ । ତେବେ ଉତରପୂର୍ବାଂଚଳ ରାଜ୍ୟ ଆସାମ, ଅରୁଣାଚଳପ୍ରଦେଶ ଗୁଡ଼ିକରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍ ହୋଇପାରେ । ଏବେ ମୌସୁମୀ ଶ୍ରୀଲଙ୍କାରେ ପହଂଚିଛି । କେରଳରେ ପହଂଚିବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ମୌସୁମୀ ପହଂଚି ଥାଏ । ତେବେ ସଠିକ୍ ତାରିଖ ସମ୍ପର୍କରେ ଆସନ୍ତା କିଛି ଦିନରେ ଜଣାପଡ଼ିବ । ଜୁନରେ ରାଜ୍ୟରେ ସ୍ୱାଭାବିକ ଓ ତାଠାରୁ ଅଧିକ ବର୍ଷା ହେବା ନେଇ ଆକଳନ ହୋଇଛି । ଜୁଲାଇ ଓ ଅଗଷ୍ଟ ପରିସ୍ଥିତି ଆସନ୍ତା ସମୟରେ ଜଣାପଡ଼ିବ ବୋଲି ସେ କହିଛନ୍ତି ।