ଗ୍ଲୋବାଲ ଟେଣ୍ଡରରୁ ଟିକା କିଣାଯିବା ନେଇ ଆଶଙ୍କା
![](https://thetruths.in/wp-content/uploads/2021/06/vaccine-tablejpg.jpg)
ଭୁବନେଶ୍ୱର : ଗ୍ଲୋବାଲ ଟେଣ୍ଡରରୁ ଓଡ଼ିଶାକୁ ବିଦେଶୀ କମ୍ପାନି କରୋନା ଟିକା ମିଳିବା ନେଇ ଆଶଙ୍କା ଦେଖାଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୂଚନା ମିଳିଛି । ମନ୍ତ୍ରୀ ଲେଖିଛନ୍ତି ରାଜ୍ୟର ଟିକା ଆବଶ୍ୟକତା ପୁରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ିଂ କରାଯାଇଥିଲା । ହେଲେ ଏଥିରେ ସାମିଲ ହୋଇନଥିଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ । ରାଜ୍ୟର ଆବଶ୍ୟକତା ଅନୁଯାୟୀ ଏହି ଦୁଇ କମ୍ପାନି ଟିକା ଯୋଗାଇ ପାରୁନାହାଁନ୍ତି ।
ଗ୍ଲୋବାଲ ଟେଣ୍ଡର ଜରିଆରେ ଓଡ଼ିଶା ସରକାର ବିଦେଶୀ କମ୍ପାନି ଠାରୁ ଟିକା କିଣିବାକୁ ଚାହୁଁଛନ୍ତି । ହେଲେ ଅନ୍ୟ ରାଜ୍ୟରେ ହୋଇଥିବା ଗ୍ଲୋବାଲ ଟେଣ୍ଡରରେ କେହି ବିଦେଶୀ କମ୍ପାନୀ ରାଜ୍ୟକୁ ଟିକା ଯୋଗାଣ ପାଇଁ ରାଜି ହେଉନଥିବା ମିଡ଼ିଆ ରିପୋର୍ଟ ପ୍ରକାଶ ପାଇଛି । ମଡ଼ର୍ଣ୍ଣା ଓ ଫାଇଜର ଭଳି ବିଦେଶୀ କମ୍ପାନି କେବଳ କେନ୍ଦ୍ର ସରକାରଙ୍କ ସହ ଡ଼ିଲ କରିବାକୁ ଚାହୁଁଛନ୍ତି । ତେଣୁ ମନ୍ତ୍ରୀ ଚିଠିରେ ଲେଖିଛନ୍ତି କେନ୍ଦ୍ର ସରକାର ଏହି କମ୍ପାନି ଠାରୁ ଟିକା ଆଣି ରାଜ୍ୟକୁ ଯୋଗାଇ ଦିଅନ୍ତୁ । ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ସୂଚନା ଅନୁଯାୟୀ ରାଜ୍ୟରେ ଆବଶ୍ୟକ ଟିକା ଅଭାବ ଥିବାରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା । ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇ ଥିଲା । ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ବୋଲି ସେ କହିଥିଲେ ।