ରାଜ୍ୟରେ ଆଉ ୩ ଦିନ କାଳବୈଶାଖି ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଗତ ଦୁଇ ଦିନ ହେବ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ଲାଗି ରହିଛି । ଫଳରେ କିଛିଟା ତାତି କମିଛି । ପାଣିପାଗ ପୂର୍ବାନୁମାନ ଅନୁସାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ। କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ଅଛି । ପାଣିପାଗ ବିଭାଗ କହିଛି, ଆସନ୍ତା ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଆଉ ୨ ଡିଗ୍ରୀ କମିପାରେ ।
ଶନିବାର ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ଜୋର୍ରେ ପବନ ବହିବା ସହ ବିଜୁଳି, ଘଟଘଡ଼ି ଓ ଝଡ଼ବର୍ଷା ହେବ। ସେହିପରି ୧୧ ତାରିଖ ରବିବାର ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ଏବଂ ୧୨ ତାରିଖ ସୋମବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଫଳରେ ରାଜ୍ୟର ତାପମାତ୍ରା ଆସନ୍ତା ୨୪ଘଣ୍ଟା ମଧ୍ୟରେ ୨ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ। ତେବେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ସୂଚନା ଯେ, ଗୁରୁବାର ରାତିରେ ପୁରୀରେ ୨୮.୮ ମିଲିମିଟର ବର୍ଷା ଢାଳିଥିଲା । ବାରିପଦାରେ ୧୧.୬ ମିମି, କଟକରେ ୧୭.୪ ମିମି ବର୍ଷା ସହ ପବନ ବି ହୋଇଥିଲା । ଏହାବାଦ୍ ଭୁବନେଶ୍ୱର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ଦାରିଙ୍ଗିବାଡ଼ିରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇଥିଲା । ଶୁକ୍ରବାର ଦିନ ତମାମ ଉପକୂଳ ସମେତ ବିଭିନ୍ନ ସ୍ଥାନରେ ଖରା କମ୍ ସହ ପାଗ ଆଂଶିକ ମେଘୁଆ ଥିଲା । ଦାରିଙ୍ଗିବାଡ଼ିରେ ୨ ମିମି ବର୍ଷା ହୋଇଥିଲା ।ଶୁକ୍ରବାର କେବଳ ସୁନ୍ଦରଗଡ଼ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା । ବାକି ସବୁଠି ପାରଦ ୪୦ ଡିଗ୍ରୀ ତଳେ ଥିଲା । ଉପକୂଳରେ ଭୁବନେଶ୍ୱର ତାତି ବି ୩୫ ଡିଗ୍ରୀ ତଳେ ରହିଥିଲା ।