କରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେବେ ଟିକା

ନୂଆଦିଲ୍ଲୀ : ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ଅନ୍ ଭ୍ୟାକସିନ୍ ଆଡମିନିଷ୍ଟେ୍ରସନ୍ ଫର କୋଭିଡ-୧୯ (ଏନଇଜିଭିଏସି) ପକ୍ଷରୁ କରୋନା ଭ୍ୟାକସିନ୍ ନେଇ ଯେଉଁ ପରାମର୍ଶ ଦିଆଯାଇଥିଲା ତାହାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଞ୍ଜୁରୀ ଦେଇଛି । କରୋନାରୁ ସୁସ୍ଥ ହେବାର ୩ ମାସ ପରେ ଭ୍ୟାକସିନ୍ ଡୋଜ ଦିଆଯିବାକୁ ଏନଇଜିଭିଏସି ସୁପାରିଶ କରିଥିଲା। ଏହାକୁ ଗ୍ରୀନ ସିଗନାଲ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏବେ ୪୫ ଦିନ ପରିବର୍ତ୍ତେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବାର ତିନିମାସ ପରେ ନେବାକୁ ହେବ କରୋନା ଟିକାର ଦ୍ଵିତୀୟ ଡୋଜ । ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେବା ପରେ କରୋନା ଆକ୍ରାନ୍ତ ହେଉଛନ୍ତି, ସେମାନେ ଏବେ ୪୫ଦିନ ପରିବର୍ତ୍ତେ ୩ମାସ ପରେ ଦ୍ଵିତୀୟ ଡୋଜ ନେବେ ବୋଲି ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କରୋନା ଭ୍ୟାକସିନ୍ ନେବାକୁ ଯାଉଥିବା ଲୋକଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଇବାକୁ ମଧ୍ୟ ମନା କରାଯାଇଥିଲା। ତେବେ ଏହି ସୁପାରିଶ ବୈଷୟିକ ସମୀକ୍ଷା ଏବଂ ଅନୁସନ୍ଧାନ ଆଧାରରେ କରାଯାଇଥିବା ଜଣାପଡ଼ିଛି । ସରକାର କୋଭିସିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ ୬-୮ସପ୍ତାହରୁ ୧୨ ରୁ ୧୬ ସପ୍ତାହକୁ ବଢାଇବା ପରେ ଆଜି ଏହି ନିଷ୍ପତ୍ତି ନେଇଛନ୍ତି । ୪୫ଦିନର ବ୍ୟବଧାନକୁ ଏବେ ୩ମାସ ବଢ଼ାଇ ଦିଆଯାଇଛି। ଆରମ୍ଭରୁ କୋଭିସିଲ୍ଡ ଟିକାର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ୨୮ଦିନ ଥିବା ବେଳେ ଏହା ପରେ ୬-୮ ସପ୍ତାହ କରାଯାଇଥିଲା। ଏବେ ଦୁଇଟି ଟିକା ମଧ୍ୟରେ ବ୍ୟବଧାନ ୧୨ ରୁ ୧୬ ସପ୍ତାହକୁ ବଢାଇ ଦିଆଯାଇଛି।
ସୂଚନା ଯେ, ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ କରୋନା ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ସୁସ୍ଥ ହେବାର ୩ ମାସ ପରେ ଦ୍ଵିତୀୟ ଡୋଜ୍ ଦିଆଯିବ। କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଯଦି ଆଣ୍ଡିବଡି କିମ୍ବା ପ୍ଲାଜମା ଦିଆଯାଇଥିବ ତେବେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ୩ ମାସ ପରେ ଟିକା ଦିଆଯିବ। ଯେଉଁମାନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା, ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବେ। ଗମ୍ଭୀର ରୋଗ ଥିବା ଲୋକେ ୪ରୁ ୮ ସପ୍ତାହ ପରେ ଟିକା ନେବେ। ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯିବା ଉପରେ ବିଚାର କରାଯାଉଛି। ଏନେଇ ଏନଟିଏଜିଆଇ ପକ୍ଷରୁ ଅଧିକ ସୂଚନା ପରେ ମିଳିବ। ଏନଇଜିଭିଏସିର ସୁପାରିଶକୁ ପାଳନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସୂଚନା ଦିଆଯାଇଛି। ଏନେଇ ଲୋକମାନଙ୍କୁ ସ୍ପଷ୍ଟ ସୂଚନା ଦେବା ପାଇଁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଲୋକଙ୍କୁ ସଚେତନ କରାଇବା ପାଇଁ ସମସ୍ତ ମାଧ୍ୟମର ଉପଯୋଗ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି।