ଅକ୍ଟୋବର ୧୦କୁ ଘୁଞ୍ଚିଲା ୟୁପିଏସସି ପ୍ରାଥମିକ ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ବୃଦ୍ଧି ଘଟୁଥିବାରୁ ଘୁଞ୍ଚିଲା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି)ର ପ୍ରାଥମିକ ପରୀକ୍ଷା। ପରୀକ୍ଷାଟି ଜୁନ ୨୭ରେ ହେବାକୁ ଥିବା ବେଳେ ଏବେ ସଂକ୍ରମଣ ବୃଦ୍ଧିକୁ ଦେଖି ଏହାକୁ ଅକ୍ଟୋବର ୧୦କୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ୟୁପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ୟୁପିଏସସି ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ଲେଖାଯାଇଛି ଯେ, ନୋଭେଲ୍ କରୋନା ଭାଇରସ୍ ପାଇଁ ସୃଷ୍ଟି ହୋଇଥିବା ସ୍ଥିତି ହେତୁ ୟୁପିଏସସିର ପ୍ରାଥମିକ ପରୀକ୍ଷା ଅକ୍ଟୋବର ୧୦, ୨୦୨୧କୁ ସ୍ଥଗିତ ରଖାଯାଇଛି । ଜୁନ ୨୭, ୨୦୨୧ରେ ପରୀକ୍ଷା ହେବାକୁ ଥିବା ବେଳେ ଏବେ ଏହି ପରୀକ୍ଷା ଅକ୍ଟୋବର ୧୦, ୨୦୨୧ରେ ହେବ ।
ସୂଚନା ଯେ, ୨୦୨୧ରେ ୭୧୨ ଟି ପଦବୀ ପାଇଁ ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷା କରାଯାଉଛି । ୨୦୨୦ରେ, ସିଭିଲ ସର୍ଭିସ୍ ପରୀକ୍ଷା ମେ ୩୧ରେ ହେବାକୁ ଥିବା ବେଳେ କରୋନା ପାଇଁ ଏହାକୁ ଘୁଞ୍ଚାଇ ଅକ୍ଟୋବର ୪ରେ ପରୀକ୍ଷା କରାଯାଇଥିଲା । ଏ ପର୍ଯ୍ୟନ୍ତ ମୁଖ୍ୟ ଲିଖିତ ପରୀକ୍ଷା ଶେଷ ହୋଇଛି।