ପୁରୀରେ ଦ୍ଵିତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଲା
ପୁରୀ : ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ । ଏହି ପରିପ୍ରେକ୍ଷୀରେ ନୟାଗଡ ବନଖଣ୍ଡରୁ ସୋମବାର ଦ୍ଵିତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଞ୍ଚିଛି । ଏଥିରେ ସମୁଦାୟ ୧୩ଟି ଫାସୀ କାଠ ରହିଛି। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି। ତେବେ ୭୯୬ ଖଣ୍ଡରୁ ଆଜି ପର୍ଯ୍ୟନ୍ତ ମୋଟ ୬୨ ଖଣ୍ଡ ପୁରୀରେ ପହଂଚିଥିବା ବେଳେ ବଳକା ୭୩୪ ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ ।
ସୂଚନା ଯେ, ଗତ ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା | ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ତିନି ରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଆସନ୍ତା ୨୧ ତାରିଖ ବୁଧବାର ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ ।