ଶେଷ ହେଲା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ ଏ ବୋବ୍ଡେଙ୍କ କାର୍ଯ୍ୟକାଳ
- ଆସନ୍ତାକାଲି ନୂତନ ପ୍ରଧାନ ବିଚାରପତି ଭାବେ ଯୋଗଦେବେ ଜଷ୍ଟିସ୍ ଏନ. ଭି. ରମନ୍ନା
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ୍ ଅରବିନ୍ଦ ବୋବ୍ଡେଙ୍କର କାର୍ଯ୍ୟକାଳ ଆଜି ଶେଷ ହୋଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଓ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଆସନ୍ତାକାଲି ନୂତନ ପ୍ରଧାନବିଚାରପତି ଜଷ୍ଟିସ୍ ଏନ. ଭି. ରମନ୍ନା ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ।
ସୂଚନା ଯେ, ସୁପ୍ରିମକୋର୍ଟର ବିଚାରପତି ରୂପେ ଜଷ୍ଟିସ୍ ବୋବ୍ଡେଙ୍କର ୨୦୧୩ ଏପ୍ରିଲ ୧୨ରେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି ରୂପେ ସେ ନଭେମ୍ବର ୧୪, ୨୦୧୯ରେ ଦାୟିତ୍ୱ ନେଇଥିଲେ। ୧୪ ମାସର କାର୍ଯ୍ୟକାଳରେ ସେ କେବଳ ୯୦ ଦିନ ହିଁ କୋର୍ଟରୁମରେ ଶୁଣାଣି କରିପାରିଥିଲେ ଏବଂ କରୋନା କଟକଣା ଯୋଗୁଁ ତାଙ୍କର କାର୍ଯ୍ୟକାଳର ଅଧିକତର ଶୁଣାଣି ଭିଡିଓ କନ୍ଫରେନ୍ସିଂ ଜରିଆରେ କରାଯାଇଥିଲା।