ପୁଣି ଥରେ ମିଳିବ ଦୁଇମାସର ମାଗଣା ରାସନ

- କରୋନାର ଦ୍ୱିତୀୟ ଲହର ଦେଇ ଗତି କରୁଥିବା ଅଭାବୀଙ୍କୁ ପୋଷଣ ଯୁକ୍ତ ରାସନ ମିଳିବା ଅତ୍ୟନ୍ତ ଗୁତୁତ୍ତ୍ୱପୁର୍ଣ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : କରୋନା ମହାମାରୀ ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଗାମୀ ଦୁଇ ମାସ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ୫ କିଲୋ ରାସନ ଦେବାକୁ ଘୋଷଣା କରିଛନ୍ତି। ଗରିବଙ୍କୁ ମେ ଓ ଜୁନ ଦୁଇ ମାସ ରାସନ ଦିଆଯିବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ୮୦ କୋଟି ଲୋକ ଲାଭବାନ ହେବେ। ଗତ ବର୍ଷ ମଧ୍ୟ ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣା ରାସନ ଦିଆଯାଇଥିଲା। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ କରୋନା ଭାଇରସର ଦ୍ୱିତୀୟ ଲହର ଦେଇ ଗତି କରୁଥିବାବେଳେ ଅଭାବୀଙ୍କୁ ପୋଷଣ ଯୁକ୍ତ ରାସନ ମିଳିବ ଅତ୍ୟନ୍ତ ଗୁତୁତ୍ତ୍ୱପୁର୍ଣ | କେନ୍ଦ୍ର ସରକାର ଏହି ଯୋଜନାରେ ୨୬ ହଜାର କୋଟି ଖର୍ଚ୍ଚ କରିବେ।

ଶୁକ୍ରବାର ପ୍ରଧାନମନ୍ତ୍ରୀ କରୋନା ଲଢେଇରେ ସବୁ ରାଜ୍ୟଙ୍କୁ ପୁରା ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯଦି ଆମେ ‘ଗୋଟିଏ ରାଷ୍ଟ୍ର’ ଭାବେ କାମ କରିବା ତାହେଲେ ସମାଧାନର ଅଭାବ ରହିବନି। ମୋଦି ସବୁଠାରୁ ଅଧିକ ପ୍ରଭାବିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରି କରୋନା ସ୍ଥିତି ସମୀକ୍ଷା କରିଛନ୍ତି। ମୋଦି କହିଛନ୍ତି କରୋନାର ପ୍ରଥମ ଲହର ସମୟ ରେ ସଂଯୁକ୍ତ ପ୍ରୟାସ ଓ ସଂଯୁକ୍ତ ରଣନୀତି ଯୋଗୁଁ ଭାରତ ସଫଳତା ପାଇଥିଲା। ଏହି ସିଦ୍ଧାନ୍ତରେ କାମ କଲେ ଦ୍ୱିତୀୟ ଲହର ସହ ମଧ୍ୟ ମୁକାବିଲା କରିହେବ। ମୋଦି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସବୁ ରାଜ୍ୟ ସହ ଲଗାତାର ସମ୍ପର୍କ କରୁଛନ୍ତି ଓ ବାସ୍ତବିକ ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସମୟ ସମୟରେ ଆବଶ୍ୟକୀୟ ପରାମର୍ଶ ମଧ୍ୟ ଦେଉଛନ୍ତି।