ସୋମବାର ଠାରୁ ପୁଣି ବଢ଼ିବ ତାତି

heat wave in the city and hand showing thermometer for high temperature
ଭୁବନେଶ୍ୱର : ରାଜ୍ୟରେ ଏବେ ତାତି ପ୍ରକୋପ ସାମାନ୍ୟ କମ୍ ରହିଛି । ସେହିପରି ରାଜ୍ୟର ଅନେକ ସ୍ଥାନରେ ଗୁରୁବାର ବର୍ଷା ହୋଇଯାଇଛି। ବିଶେଷକରି ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଯୋଗୁଁ ପାଗ ଥଣ୍ଡା ରହିଛି। ଏଥିସହ ରାଜ୍ୟର ତାପମାତ୍ରା ପୁଣିଥରେ ୪୦ ଡିଗ୍ରିକୁ ଖସି ଆସିଛି। ମାତ୍ର ଆଉ ଦୁଇଦିନ ପରେ ଧୀରେଧୀରେ ତାତିର ପ୍ରକୋପ ବଢ଼ିବ । ପାଣିପାଗ ବିଭାଗର କହିବାନୁସାରେ, ଆସନ୍ତା ୪୮ ଘଣ୍ଟା ଭିତରେ ତାତିରେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ । ତା’ପରେ କ୍ରମଶଃ ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ।
ଶୁକ୍ରବାର ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ଅପରାହ୍ନ ସମୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ। ଏଥିପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାପରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଏହା ପରେ ୧୯ ତାରିଖ ଆଡ଼କୁ ପୁଣିଥରେ ରାଜ୍ୟରେ କାଳବୈଶାଖୀ ବର୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୩୦ରୁ ୪୦ କିମି ରହିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଧା ଓ ପୁରୀରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତାକାଲି ରାଜଧାନୀର ପାଗ ମେଘୁଆ ରହିବ ସହ ବର୍ଷା ହେବାର ସମ୍ଭାବନା ରହିଛି।
ସୂଚନା ଯେ, ଗୁରୁବାର ଦିନବେଳା ବଲାଙ୍ଗିରରେ ପାଖାପାଖି ୧୦ ମିମି ବର୍ଷା ହୋଇଥିଲା । ରାତିରେ ବି କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଗୁରୁବାର ରାଜ୍ୟ ତମାମ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଭୁବନେଶ୍ୱର ତାପମାତ୍ରା ୩୯.୭ ଡିଗ୍ରୀ ଥିବାବେଳେ ଅପରାହ୍ନରେ ପାଗ ବଦଳିବା ସହ ପାଗ ମେଘୁଆ ହୋଇଥିଲା । ଅନ୍ୟ ସହର ମଧ୍ୟରେ ବାରିପଦା ତାପମାତ୍ରା ୩୯.୪, ବୌଦ୍ଧ ୩୯, ରାୟଗଡ଼ା ୩୯.୨ ଡିଗ୍ରୀ ଥିଲା । ଶୁକ୍ରବାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱରରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ଆଶଙ୍କା ଅଛି । କେତେକ ଜାଗାରେ ଘଡ଼ଘଡ଼ି ସହ ପବନ ହେବା ନେଇ ସମ୍ଭାବନା ରହିଛି ।