ଓଡ଼ିଶା ଆସିଲା ଗ୍ୟାଙ୍ଗଷ୍ଟର ହାଇଦର
- କଡା ସୁରକ୍ଷା ମଧ୍ୟରେ କଟକ ଗଲା
- କଟକରେ କୋର୍ଟରେ ହାଜର କରାଯିବ
ଭୁବନେଶ୍ୱର : ଓଡ଼ିଶା ଫେରିଲା କୁଖ୍ୟାତ ଅପରାଧୀ ସେକ୍ ହାଇଦର । ତେଲେଙ୍ଗାନାରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଣାଗଲା। ବିମାନ ବନ୍ଦରରୁ ତାକୁ କଡ଼ା ସୁରକ୍ଷା ମଧ୍ୟରେ ସିଧାସଳଖ କଟକ ଅଭମୁଖେ ନିଆଯାଇଥିଲା । ଏବେ ହାଇଦର୍ ଡିସିପି ଅଫିସରେ ଥିବା ଜଣାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କଟକ ଜେଏମଏଫସି କୋର୍ଟରେ ହାଜର କରାଯିବ ବୋଲି କଟକର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଆଗକୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି କମିଶନରେଟ୍ ପୋଲିସ । ରିମାଣ୍ଡରେ ଆଣିବା ପରେ କେଉଁଠୁ କେମିତି ଫେରାର ହେଲା ସେ ବିଷୟରେ ସବିଶେଷ ତଥ୍ୟ ମିଳିପାରିବ ।
ସୂଚନା ଯୋଗ୍ୟ ଯେ ଗତ ୧୦ ତାରିଖରେ ସେ ଏସସିବିରୁ ଚିକିତ୍ସା ବେଳେ ଫେରାର୍ ହୋଇଯାଇଥିଲା ଗ୍ୟାଙ୍ଗଷ୍ଟର । ତେଲେଙ୍ଗାନା ପୋଲିସ ସହାୟତାରେ କମିଶନରେଟ ପୋଲିସ ଗୁରୁବାର ସନ୍ଧ୍ୟାରେ ହାଇଦରକୁ କାବୁ କରିଥିଲା । ମୋଟର ସାଇକେଲରେ ସେ ଯାଉଥିବା ବେଳେ ପୋଲିସ ତାକୁ ପିଛା କରିଥିଲା । ଶେଷରେ ହାଇଦରକୁ କାବୁ କରିବାରେ ସଫଳ ହୋଇଥିଲା ପୋଳିସ । ତାକୁ ଧରିବା ପାଇଁ କଟକ ସିଟି ପୋଲିସର ଦୁଇଟି ଟିମ ତେଲେଙ୍ଗାନା ଯାଇଥିଲା । ପୋଲି ଟିମ୍ ୨୪ ଘଣ୍ଟା ଭିତରେ ହାଇଦରକୁ ଧରି ଓଡ଼ିଶାରେ ପହଞ୍ଚିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁରୁବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଗୁଇନ୍ଦା ସୂଚନାକୁ ଆଧାର କରି ଏହି ଗିରଫଦାରି କରାଯାଇଥିବା ସେ କହିଥିଲେ। ହାଇଦର ନିକଟରୁ ୨ଟି ବନ୍ଧୁକ ଜବତ ହୋଇଥିବା ନେଇ ସୂଚନା ମିଳିଥିଲା।