ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର : ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ଖସିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ରାଜ୍ୟର ତାପମାତ୍ରା ଆସନ୍ତା ୨ଦିନ ମଧ୍ୟରେ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ଖସିବ। ଏହି ସମୟରେ ଉପକୂଳ ଜିଲ୍ଲାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ମଧ୍ୟ ଅନୁଭୂତ ହେବ । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ଓ ୪୦ କିଲୋମିଟର ବେଗରେ ପବନ ବହିବ। ତେଣୁ ଗତ କିଛି ଦିନ ହେଲା ଭୀଷଣ ଗ୍ରୀଷ୍ମପ୍ରବାହରେ ସନ୍ତୁଳି ହେଉଥିବା ରାଜ୍ୟବାସୀଙ୍କୁ ସାମୟିକ ଭାବେ ତାତିରୁ ତ୍ରାହି ମିଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।
ସୂଚନା ଯେ, ଧୀରେ ଧୀରେ ରାଜ୍ୟର ପାରଦ ନିମ୍ନଗାମୀ ହେବାରେ ଲାଗିଛି। ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଆସନ୍ତା ୨ ଦିନରେ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବ। ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ତଥା ବାୟୁର ଦିଗ ପରିବର୍ତ୍ତନ ଯୋଗୁଁ ତାପମାତ୍ରାରେ ଏଭଳି ପରିବର୍ତ୍ତନ ଆସିବ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ମଧ୍ୟ ଖୁବ୍ ଅଧିକ ରହିବ। ଘଣ୍ଟା ପ୍ରତି ପ୍ରାୟ ୪୦ କିମି ବେଗରେ ପବନ ବହିପାରେ ବୋଲି ଅନୁମାନ କରାଯାଉଛି। ଶନିବାର କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଖୋର୍ଧା ଓ ଜଗତସିଂହପୁରରେ କାଳବୈଶାଖୀଜନିତ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିବ। ସେହିଭଳି ୪ ତାରିଖ ଦିନ ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରାଯାଉଛି। ଏହି ଦୁଇ ଦିନ ପାଇଁ ଉକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀ ଫଳରେ ତାପମାତ୍ରା ସାମୟିକ ସମୟ ପାଇଁ ଖସିପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ମେଘୁଆ ରହିବ। ଠାଏ ଠାଏ ହାଲ୍କା ବର୍ଷାର ବି ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ଭିତରେ ରହିବ ବୋଲି କେନ୍ଦ୍ର କହିଛି।