ବିନା ବାଧାରେ ଆୟୋଜିତ ହେବ ଟି-୨୦ ବିଶ୍ୱକପ୍

ମୁମ୍ବଇ: ଭାରତରେ କରୋନା ସଂକ୍ରମଣ ପୁନର୍ବାର ଜଟିଳ ପରିସ୍ଥିତି ସୃଷ୍ଟି କରିଛି। କରୋନା ସଂକ୍ରମଣଜନିତ ପରିସ୍ଥିତି ମଧ୍ୟରେ ବିସିସିଆଇ ତରଫରୁ ଆଇପିଏଲ୍ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବାକୁ ଥିବା ବେଳେ ଏହା ବିନା ବାଧାରେ ଆୟୋଜିତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଆଇପିଏଲ୍ର ଉଦ୍ଘାଟନୀ ମ୍ୟାଚ୍ ଦେଖିବାକୁ ଗତ ୨ରେ ଗାଙ୍ଗୁଲି ସମସ୍ତ ରାଜ୍ୟ କ୍ରିକେଟ୍ ସଂଘ ପଦାଧିକାରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଇଥିଲେ।
ଏହି ନିମନ୍ତ୍ରଣ ପତ୍ରରେ ଗାଙ୍ଗୁଲି ଦର୍ଶାଇଥିଲେ ଆଗାମୀ କିଛିମାସ ମଧ୍ୟରେ କୋଭିଡ ଜନିତ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ସବୁ କିଛି ସ୍ବାଭାବିକ ହୋଇଯିବ। ଏପରି ହେଲେ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସହ ଟି-୨୦ ବିଶ୍ୱକପ୍ ବିନା ବାଧାରେ ଆୟୋଜିତ ହୋଇପାରିବ। ଯଦି ପରିସ୍ଥିତି ସ୍ୱାଭାବିକ ରହେ ତେବେ ଆସନ୍ତା ଜୁନ୍-ଜୁଲାଇରେ ୧୯ ବର୍ଷରୁ କମ୍ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ବୋଲି ଗାଙ୍ଗୁଲି ପ୍ରତିଶ୍ରୁତି ଦେଇଛନ୍ତି।