କୋଟିଆ ପାଇଁ ରାଜ୍ୟ ସରକାରଙ୍କ ତିଳେମାତ୍ର ଆନ୍ତରିକତା ନାହିଁ : ନିରଞ୍ଜନ
ଭୁବନେଶ୍ୱର : କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେ କହିଛନ୍ତି ଯେ ଓଡିଶା ମାଟିକୁ ସୁରକ୍ଷା ଦେବାରେ ଅସମର୍ଥ ବର୍ତମାନର ବିଜେଡି ସରକାର । ଓଡିଶା ମାଟିକୁ ପଡୋଶୀ ରାଜ୍ୟମାନେ ଆସ୍ତେ ଆସ୍ତେ ମାଡି ବସୁଛନ୍ତି । କିନ୍ତୁ ଆମ ସରକାର ନିରବତା ଅବଲମ୍ବନ କରୁଛନ୍ତି । ଏହାଠାରୁ ଆଉ ଦୁଃଖ ଦାୟକ ଘଟଣା କ’ଣ ହୋଇପାରେ । ଯେଉଁ ମହାପୁରୁଷମାନେ ତ୍ୟାଗ ଦେଇ ଓଡିଶା ଗଠନ କରିଥିଲେ, ଆଜି ତାଙ୍କୁ ପରିହାସ କରାଯାଉଛି । ଆନ୍ଧ୍ର ସରକାର ଓଡିଶାର କୋଟିଆ ଅଂଚଳରେ ଗତ ୩ ମାସ ମଧ୍ୟରେ ଦୁଇ ଦୁଇଥର ନିର୍ବାଚନ ଘୋଷଣା କରି ନିର୍ବାଚନ କରି ସାରିଲେଣି । ନିର୍ବାଚନ କରିବା ପରେ ରାଜ୍ୟ ସରକାର ସୁପ୍ରିମ୍କୋର୍ଟ ଯାଉଛନ୍ତି । ଏପରିକି ନିର୍ବାଚନ ଚାଲିଥିଲା ବେଳେ ଓଡିଶା ସରକାର ୧୪୪ ଧାରା ଜାରି କଲେ, ତାକୁ ମଧ୍ୟ ଆନ୍ଧ୍ର ସରକାର ମାନିଲେ ନାହିଁ କି ଭ୍ରୁକ୍ଷେପ କଲେନାହିଁ । ବହୁ ପୂର୍ବରୁ ସୁପ୍ରିମ୍କୋର୍ଟ କହିଛନ୍ତି ସୀମା ବିବାଦ ମାମଲା କୋର୍ଟର ପରିସରଭୁକ୍ତ ନୁହେଁ । ଏହା ସଂସଦର ବା କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ । ସେମାନେ ଏ ବିଷୟରେ ନିଷ୍ପତି ନେଇପାରିବେ । କିନ୍ତୁ କେନ୍ଦ୍ର ବିଜେପି ସରକାରଙ୍କର ଓଡିଶା ପ୍ରତି ତିଳେମାତ୍ର ଆନ୍ତରିକତା ବା ଦରଦ ନାହିଁ । ସେହିପରି ଓଡିଶା ସରକାର ମଧ୍ୟ କୌଣସି ଆନ୍ତରିକତା ଦେଖାଉନାହାନ୍ତି ।
ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇ ସଂସଦରେ ଏ ପ୍ରସଙ୍ଗ ଉଠାଇ ଓଡିଶାର ସ୍ୱାର୍ଥରକ୍ଷା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ନହେଲେ ଓଡିଶାବାସୀ ଏହି ଐତିହାସିକ ଭୁଲ୍କୁ ଗ୍ରହଣ କରିବେ ନାହିଁ ଓ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତେଇ ଦେଇଛନ୍ତି ।