ମାସ୍କ ନପିନ୍ଧିଲେ ୨ ଗୁଣା ଜରିମାନା : ମୁଖ୍ୟମନ୍ତ୍ରୀ
– ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ ପାଇଁ ଆହ୍ୱାନ
– ବେକରେ ଝୁଲେଇ କି ନୁହେଁ, ମାସ୍କକୁ ଠିକ୍ ଭାବେ ନାକକୁ ଘୋଡେଇ ପିନ୍ଧିବା
– ସରକାର ବାହାରେ ଜଗିଛନ୍ତି, ମା ମାନେ ଘର ଭିତରେ ପରିବାରର ଲୋକଙ୍କୁ ଜଗନ୍ତୁ
ଭୁବନେଶ୍ୱର : ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କବଚ । ମାସ୍କ ପିନ୍ଧିଲେ କରୋନାକୁ ବିନା ଲକ୍ଡାଉନ୍ ରେ ରୋକିପାରିବା । ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ଠାରୁ ୨ ଗୁଣ ଜରିମାନା ଆଦାୟ କରାଯିବ । ଆଜିଠାରୁ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବା ବୋଲି ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହା କହିଛନ୍ତି ।
ଏକ ଭିଡିଓ ବାର୍ତା ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବ ଇତିହାସରେ ଏପରି ସଙ୍କଟ ନିକଟ ଅତୀତରେ ଆସିନଥିଲା । ଦେଶର ଅନ୍ୟ ରାଜ୍ୟରେ ଲକ୍ଡାଉନ୍ ଓ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇଯାଇଛି । ଆମେ କଟକଣା ମାନିଲେ ଏସବୁର ଦରକାର ପଡ଼ିବ ନାହିଁ । ଆମେ ଆଜିଠାରୁ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବା । ଏହି ସମୟରେ କଡ଼ାକଡ଼ି ଭାବେ ମାସ୍କ ପିନ୍ଧିବା ନିୟମ ପାଳନ କରିବା । ତେବେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯିବ । ପୂରା ନାକ ଓ ମୁହଁକୁ ବନ୍ଦ କରି ମାସ୍କ ପିନ୍ଧିବା । ତେବେ କରୋନାକୁ ଜିତି ପାରିବା । ବେକରେ ଝୁଲେଇ କି ନୁହେଁ, ମାସ୍କକୁ ଠିକ୍ ଭାବେ ନାକକୁ ଘୋଡେଇ ପିନ୍ଧିବା । ସେହିପରି ମା’ ମନେ ସତର୍କ ହେଲେ କରୋନା ଘର ଭିତରକୁ ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି । ତେଣୁ ମା’ ମାନେ ଘର ଭିତରେ ପରିବାରର ଲୋକଙ୍କୁ ଜଗନ୍ତୁ । ବାହାରକୁ ଯାଉଛନ୍ତି ସେମାନେ ଯେଭଳି ମାସ୍କ ପିନ୍ଧିବେ ସେଥିପ୍ରତି ମା ମାନେ ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯେଉଁମାନେ କୋଭିଡ-୧୯ ଟିକା ନେଇ ନାହାନ୍ତି, ସେମାନେ ନିଶ୍ଚୟ ଭାବେ ମାସ୍କ ପିନ୍ଧନ୍ତୁ । ଯେଉଁମାନେ ଟିକା ନେଇଛନ୍ତି, ସେମାନେ ବି ମାସ୍କ ପିନ୍ଧନ୍ତୁ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ରୋଜଗାର ବନ୍ଦ ନହେଉ ତେବେ ଆପଣଙ୍କ ଜୀବିକା ଠିକ ଭାବେ ଚାଲୁ ତା’ହେଲେ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ବ୍ୟାପି ଚାଲିଛି । ଅନ୍ୟ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଯାଇଛି । ତେଣୁ ଆମକୁ କେତେ ଲହରର ସମ୍ମୁଖୀନ ହେବାକୁ ପଡିବ ତାହା ଆମେ ଜାଣିନୁ । ଯଦି ଆମ ଜୀବନଶୈଳୀରେ ଛୋଟିଆ ପରିବର୍ତନ ଆଣିପାରିବା ଓ ମାସ୍କକୁ ସାଥି କରିପାରିବା ତେବେ ବିନା ଲକ୍ ଡାଉନରେ କରୋନା ବିପଦରୁ ରକ୍ଷା ପାଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।