ଘୁଞ୍ଚିବନି ମାଟ୍ରିକ ଓ ଯୁକ୍ତ୨ ପରୀକ୍ଷା : ମନ୍ତ୍ରୀ
ଭୁବନେଶ୍ୱର : ପୂର୍ବରୁ ମାଟ୍ରିକ ଓ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ । ପରୀକ୍ଷା ତାରିଖ ଘୁଂଚିବ ନାହିଁ ବୋଲି ଶୁକ୍ରବାର ଦିନ ସ୍କୁଲ୍ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଏହି ଦୁଇ ଶ୍ରେଣୀର ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ପରୀକ୍ଷା ପାଇଁ ଅଧିକ କେନ୍ଦ୍ର କରାଯିବ । ଯେହେତୁ ନବମ କ୍ଲାସ ବନ୍ଦ ରହିଛି ତେଣୁ ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ କିଛି ସ୍ଥିର ହୋଇନି ବୋଲି ସେ କହିଛନ୍ତି ।
କରୋନା ମହାମାରୀ ସଂକ୍ରମଣ ପୁଣିଥରେ ବ୍ୟାପୁଥିବାରୁ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ୍ ରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ବନ୍ଦ ରହିଛି । ସୂଚନାଯୋଗ୍ୟ, ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ମେ’ ୩ରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବ । ସେହିପରି ମେ’ ୧୮ ତାରିଖରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ । ଏହା ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ତାରିଖ ମଧ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ହେବ । ତା’ ସହିତ ମେ’ ୨୮ରୁ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ ।