ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର : ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ଦେଶରେ ଏବେ ଆତଙ୍କ ଖେଲାଇଛି ବ୍ଲାକ ପଙ୍ଗସ । ଫଳରେ ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ମହାମାରୀ ଘୋଷଣା ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ମହାମାରୀ ଘୋଷଣା କରିବାକୁ ପରାମର୍ଶ ଦେଇଥିଲା କେନ୍ଦ୍ର ସରକାର । ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ରାଜ୍ୟ ସରକାର । ପୂର୍ବରୁ ତେଲେଙ୍ଗାନା ଓ ରାଜସ୍ଥାନ ସରକାର ଏହାକୁ ମହାମାରୀ ଘୋଷଣା କରିଛନ୍ତି ।
କରୋନା ସଂକ୍ରମିତଙ୍କ ଠାରେ ଏହି ରୋଗ ଦେଖିବାକୁ ମିଳୁଛି । ଏହି ରୋଗରେ ସଂକ୍ରମିତ ହେବା ପରେ ରୋଗୀଙ୍କର ଆଖି ନଷ୍ଟ ହୋଇଯାଉଛି । ଏହି ରୋଗରେ ପୀଡିତ ଜଣେ ବ୍ୟକ୍ତିଙ୍କର ଗତକାଲି ଦିଲ୍ଲୀ ମୂଲଚନ୍ଦ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଏହାକୁ ନଜରରେ ରଖି ତେଲେଙ୍ଗାନା ସରକାର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ନିର୍ଦ୍ଦେଶ ମୁତାବକ ଏହି ରୋଗରେ ପୀଡିତ ହୋଇ ଆସୁଥିବା ଲୋକମାନଙ୍କର ସୂଚନା ତୁରନ୍ତ ସରକାରଙ୍କ ନିକଟରେ ପହଂଚାଇବାକୁ କୁହାଯାଇଛି । ଅନ୍ୟପଟେ କରୋନା ସଂକ୍ରମଣରେ ସବୁଠାରୁ ଆଗରେ ଥିବା ମହାରାଷ୍ଟ୍ରରେ ଏବେ ସଂକ୍ରମଣ ହାର କମିଥିବା ବେଳେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇଛି । ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ମହାରାଷ୍ଟ୍ରରେ ୯୦ ଜଣଙ୍କର ଜୀବନ ଯାଇଥିବା କଥା କୁହାଯାଇଛି । ଏହାସହ ୧୫୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।