ଟିକାକରଣ ନାଁରେ ନକଲି ପଞ୍ଜିକରଣ ପୋର୍ଟାଲରୁ ଦୂରେଇ ରୁହନ୍ତୁ : ପୋଲିସ ଡିଜି

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ଆତଙ୍କ ଖେଳାଇ ଦେଇଛି । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ପ୍ରତିହତ ପାଇଁ ଟିକାକରଣ ଜାରି ରହିଛି । ମାତ୍ର ଟିକାକରଣ ନାଁରେ ନକଲି ପଞ୍ଜିକରଣ ପୋର୍ଟାଲରୁ ଦୂରେଇ ରୁହନ୍ତୁ । ଟିକାକରଣ ପାଇଁ ନାମ ପଞ୍ଜିକରଣ କରିବା ଲାଗି ୩ଟି ଅସଲି ପୋର୍ଟାଲ ରହିଛି । ସେଗୁଡ଼ିକ ହେଲା ଆରୋଗ୍ୟ, କୋୱିନ ଓ ଉମଙ୍ଗ ପୋର୍ଟାଲ । ଟିକାକରଣ ପାଇଁ ଏହି ୩ଟି ପୋର୍ଟାଲ ହିଁ ରହିଛି । କୋଭିଡ ସଚେତନା ମୂଳକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଅନ୍ଲାଇନ୍ ମାଧ୍ୟମରେ ଔଷଧ କିଣୁଥିଲେ ସତର୍କ ରୁହନ୍ତୁ । ସେହିପରି ଇ-କମର୍ସ ସାଇଟ୍ରୁ ଜିନିଷ କିଣିବା ପୂର୍ବରୁ ସଜାଗ ରହିଲେ ଭଲ । କିଛି ଠକ ସଂସ୍ଥା ସୋସିଆଲ ମିଡିଆ ମାଧ୍ୟମରେ ଆକର୍ଷିତ କରି ଠକି ନେଉଛନ୍ତି । ସୋସିଆଲ ମିଡିଆରେ ପ୍ରାଇଭେସିକୁ ଭଲ ଭାବରେ ରଖନ୍ତୁ । ତେଣୁ ସୋସିଆଲ ମିଡିଆରେ ଅଧିକ ତଥ୍ୟ ଦିଅନ୍ତୁ ନାହିଁ । କୋଭିଡ ସର୍ଭେ ନାଁରେ ଠକେଇ ନେଇ ଅଭିଯୋଗ ଆସୁଛି । ଘରୁ ବାହାରିଲେ ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ରକ୍ଷା କରନ୍ତୁ । କେଉଁଠି ବି କୌଣସି ପରିସ୍ଥିତିରେ ଗହଳି କରୁ ନାହାନ୍ତି । କୋଭିଡ କଟକଣା ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ ଏନଫୋର୍ସମେଣ୍ଟ ଟିମ କାର୍ଯ୍ୟାନୁଷ୍ଠାନ କରୁଛନ୍ତି । କୋଭିଡ ନିୟମ ଭାଙ୍ଗିଥିବା ୧୬ ହଜାର ୬୮୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କର ଠାରୁ ୯କୋଟି ୮ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଜରିମାନା ଆଦାୟ କରାଯାଇଛି । କଳାବଜାରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଯଦି ଆପଣଙ୍କର ଅଂଚଳରେ କଳାବଜାରୀ ହେଉଛି, ନିକଟସ୍ଥ ଥାନାକୁ ସୂଚନା ଦେଇପାରିବେ । କୋଭିଡ ସମୟରେ ସାଇବର କ୍ରାଇମ ବଢ଼ିବାର ଅଛି । ତେଣୁ ଏଥି ପ୍ରତି ଲୋକେ ସତର୍କ ହେବା ଦରକାର ।