ରାଜ୍ୟରେ ଆଜିଠୁ ଦ୍ୱିତୀୟ ଲହରର ଲକଡାଉନ ୨.୦ : ବଦଳିଲା ନିୟମ

ଭୁବନେଶ୍ୱର : ରାଜ୍ୟରେ ବଢି ଚାଲିଛି ମହାମାରୀ କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ବଢ଼ାଇଲେ ଲାକଡାଉନ । ଫଳରେ ଆଜିଠୁ ଓଡ଼ିଶାରେ ଦ୍ୱିତୀୟ କରୋନା ଲହରର ଲାକଡାଉନ ୨.୦ ଆରମ୍ଭ । ବୁଧବାର ସକାଳେ ସରୁଥିବା ଲକଡାଉନର ଅବଧିକୁ ଆସନ୍ତା ଜୁନ ୧ ଯାଏଁ ବଢ଼ାଇ ଦିଆ ଯାଇଛି । ଏନେଇ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ କରୋନା ଭାଇରସର ଆତଙ୍କକୁ ଦେଖି ସରକାର ମେ ୫ ରୁ ୧୯ ଯାଏଁ କଟକଣା ଲଗାଇଥିଲେ । ଏହି ସମୟରେ ସବୁ ଦୋକାନ ବଜାର ଅନୁଷ୍ଠାନ ଆଦି ବନ୍ଦ ରହିଥିଲା । କେବଳ ସକାଳ ୬ରୁ ୧୨ ଯାଏଁ ପରିବା ଓ ରାସନ ଦୋକାନ ଖୋଲା ରହୁଥିଲା । ଏବେ କିନ୍ତୁ ଲକଡାଉନ କଟକଣାକୁ ଜୁନ୧ ଯାଏଁ ବୃଦ୍ଧି କରାଯାଇଛି । ନୂଆ ନିୟମରେ କିଛିଟା ପରିବର୍ତନ କରାଯାଇଛି । ଏହି ସମୟ ସୀମାକୁ ୭ରୁ ୧୧ କରାଯାଇଛି । ତେବେ ଲକଡାଉନ ବେଳେ ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଛାଡ଼ ମିଳିବ । ସେହିପରି ଅମାନିଆଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ କୁହା ଯାଇଛି । ଆହୁରି ମଧ୍ୟ ବିବାହ କାର୍ଯ୍ୟକ୍ରମରେ ବର୍ତ୍ତମାନ ୨୫ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ବାହାଘର ସମାରୋହରେ ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଥିଲା। ସାମୁହିକ ଭୋଜି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଅତିଥିମାନେ ଏକାଠି ବସି ଖାଇପାରିବେ ନାହିଁ । ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ କରି ପ୍ରଦାନ କରାଯିବ । ଅନ୍ତ୍ୟେଷ୍ଟି କ୍ରିୟା ଓ ବ୍ରତଘର ସମାରୋହରେ ସର୍ବାଧିକ ୨୦ ଜଣ ସାମିଲ ହେବା ସହ ସମାନ କଟକଣା ଲାଗୁ ହୋଇଛି ।
ମେ ୧୯ ସକାଳ ୭ଟାରେ ଶେଷ ହେଉଥିବା ଲକ୍ଡାଉନ୍କୁ ଜୁନ ୧ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଲକ୍ଡାଉନ୍ ସହ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ। ଏପରିକି ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ଦିଆଯାଉଥିବା କୋହଳକୁ ଦୁଇ ଘଣ୍ଟା କମାଇ ଦିଆଯାଇଛି। ଲକ୍ଡାଉନ୍ ସମୟରେ କିଛି ଦୋକାନକୁ ଖୋଲିବାକୁ ଅନୁମତି ଦିଆଯାଇଛି। ଏସବୁ ଦୋକାନ ସକାଳ ୭ଟାରୁ ୧୧ଟା ଯାଏଁ ଖୋଲା ରହିବ। ଲକ୍ଡାଉନ୍ରେ ଦୈନିକ ୪ ଘଣ୍ଟା ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ। ପରିବା, ସଉଦା, ଛାତ୍ରଛାତ୍ରୀଙ୍କ ପଢାବହି ଦୋକାନ ଖୋଲା ରହିବ। ପୂର୍ବଭଳି ଗ୍ୟାରେଜ୍ ଓ ଗାଡି ମରାମତି ଦୋକାନ ଖୋଲା ରଖିବାକୁ ଅନୁମତି ମିଳିଛି। କମ୍ପ୍ୟୁଟର, ମୋବାଇଲ ମରାମତି, ଇଲେକ୍ଟ୍ରି, ଇଲେକ୍ଟ୍ରିକାଲ ମରାମତି ଦୋକାନ, ଏସି, କୁଲର, ଓ୍ଵାଟର ପ୍ୟୁରିଫାୟର ମରାମତି ଦୋକାନା ଖୋଲା ରହିବ। ଏହି ପରି ସିମେଣ୍ଟ, ରଡ୍, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ। କ୍ଷୀର ବିକିବାକୁ କେବଳ ଓମଫେଡ ଦୋକାନ ଖୋଲା ରହିବ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି। କିନ୍ତୁ ଓମଫେଡ ଦୋକାନରେ ଚା, କଫି ବିକ୍ରି ମନା। ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବର କାଗଜ ବିତରଣ ପାଇଁ ଅନୁମତି ଦିଆଯାଇଛି। ଅଫିସ୍ କାର୍ଯ୍ୟ ପାଇଁ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ସରକାରୀ ଅଫିସ୍ରେ କର୍ମଚାରୀ ସଂଖ୍ୟା କମାଯିବ। ଅଣଅତ୍ୟାବଶ୍ୟକ ସେବା ସରକାରୀ ଅଫିସ୍ରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ। ଜିଲ୍ଲା ପ୍ରଶାସନ ଓ ଟ୍ରେଜେରୀ ଅଫିସ୍ରେ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ କମାଯିବ। ବେସରକାରୀ, କର୍ପୋରେଟ୍ ଅଫିସ୍ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଲକ୍ଡାଉନ୍ରେ ପୋଲିସ, ହୋମଗାର୍ଡ, ଅଗ୍ନିଶମ କର୍ମଚାରୀଙ୍କ ପାଇଁ କୌଣସି କଟକଣା ନାହିଁ।