ଜୁନ ୧୦ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ !
![](https://thetruths.in/wp-content/uploads/2021/05/Mansoon-1.jpg)
ଭୁବନେଶ୍ୱର : ୟାସ୍ ବାତ୍ୟା ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହକୁ ବିଗାଡ଼ିବ ନାହିଁ । ବରଂ ମୌସୁମୀ ପ୍ରବାହ ପାଇଁ ଏହା ଅନୁକୂଳ ପଥ ପ୍ରସ୍ତୁତ କରିଛି । ଅନୁମାନ କରାଯାଉଛି, ଆସନ୍ତା ୩୧ ତାରିଖବେଳକୁ ମୌସୁମୀ କେରଳ ଉପକୂଳ ଛୁଇଁପାରେ । ଓଡ଼ିଶାକୁ ମଧ୍ୟ ସ୍ୱାଭାବିକ ସମୟ କିମ୍ବା ତା’ଠାରୁ ସାମାନ୍ୟ ଆଗୁଆ ଆସିପାରେ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ଦକ୍ଷିଣ-ପଶ୍ଚିମ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ଏବଂ ପଶ୍ଚିମ କେନ୍ଦୟୀୟ ବଙ୍ଗୋପସାଗରରେ ମୌସୁମୀ ପ୍ରବେଶ କରିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବାତ୍ୟା ଯୋଗୁ ମୌସୁମୀ ପ୍ରବାହ ବାଧାପ୍ରାପ୍ତ ହେବ ନାହିଁ । ଆସନ୍ତା ୩୧ ସୁଦ୍ଧା କେରଳ ଉପକୂଳରେ ମୌସୁମୀ ପହଞ୍ଚିବା ନେଇ ପାଗ ଅନୁକୂଳ ରହିଛି । କେରଳ ଛୁଇଁବାର ୧୦-୧୧ ଦିନ ଭିତରେ ମୌସୁମୀ ଓଡ଼ିଶାକୁ ଆସିଥାଏ। ଏଥର ପାଗ ଅନୁକୂଳ ଥିବାରୁ ସ୍ୱାଭାବିକ ସମୟ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ। ଜୁନ୍ ୧୧ କିମ୍ବା ତା’ ପୂର୍ବରୁ ମଧ୍ୟ ଆସିପାରେ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ମୌସୁମୀ କେରଳକୁ ସ୍ୱାଭାବିକ ସମୟରେ ଆସିବ । ଆରବ ସାଗରରେ ମୌସୁମୀ ପ୍ରବାହ ଚଳଚଞ୍ଚଳ ହେଲାଣି । ୩୦/୩୧ ତାରିଖ ସୁଦ୍ଧା କେରଳ ପହଞ୍ଚିବ ମୌସୁମୀ । ପାଗ ଅନୁକୂଳ ରହୁଥିବାରୁ ଓଡ଼ିଶାକୁ ଜୁନ୍ ୧୦ ତାରିଖ କିମ୍ବା ତା’ର ଦୁଇଦିନ ଆଗରୁ ଆସିପାରେ ମୌସୁମୀ। ଡକ୍ଟର ସାହୁଙ୍କ କହିବାନୁଯାୟୀ ବର୍ତ୍ତମାନ ରାଜ୍ୟରେ ଆଉ ତାତି ପ୍ରକୋପ ବଢ଼ିବନି । ମାତ୍ର ଗୁଳୁଗୁଳି ଜାରି ରହିବ । ପାଣିପାଗ ବିଭାଗ କହିଛି, ୟସ୍ ବାତ୍ୟା ଦୁର୍ବଳ ହୋଇ ଆଜି ଅବପାତ ଅବସ୍ଥାରେ ଝାଡ଼ଖଣ୍ଡର ଜାମସେଦପୁର ପାଖରେ ଥିଲା । ସେଠାରେ ବି ପ୍ରବଳ ବର୍ଷା କରାଉଛି । କ୍ରମଶଃ ଆହୁରି ଦୁର୍ବଳ ହେବ । ଓଡ଼ିଶାରେ ଏବେ ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ । ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ଜାଗାରେ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ୩୦ ଓ ୩୧ରେ କେତେକ ଜାଗାରେ କାଳବୈଶାଖୀ ଆଶଙ୍କା ଅଛି । ଅପରପକ୍ଷରେ ବାତ୍ୟା ପ୍ରଭାବିତ ଉତ୍ତର ଉପକୂଳ ଓଡ଼ିଶାରେ ଶୁକ୍ରବାରଠାରୁ ତାପମାତ୍ରା ବଢ଼ିବ । ୨-୩ ଦିନ ଭିତରେ ୩ରୁ ୫ ଡିଗ୍ରୀ ବଢ଼ିପାରେ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁକ୍ରବାରଠାରୁ ପାରଦ ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି ।