ଜୁନ ୧୦ ସୁଦ୍ଧା ଓଡ଼ିଶା ପହଞ୍ଚିବ ମୌସୁମୀ!

- ମେ ୩୧ରେ କେରଳ ଛୁଇଁବ ମୌସୁମୀ
ଭୁବନେଶ୍ୱର : ଆସନ୍ତା ମେ ୩୧ରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳ ଛୁଇଁପାରେ। ମଡେଲ ଜନିତ ତ୍ରୁଟି ଯୋଗୁଁ ନିର୍ଦ୍ଧାରିତ ତାରିଖର ୪ଦିନ ପୂର୍ବରୁ କିମ୍ବା ପରେ ମୌସୁମି ବାୟୁ କେରଳ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭଗ। ଚଳିତ ବର୍ଷ ମୌସୁମି ବାୟୁ ବିବରଣୀ ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଯାଇଛି। ତେବେ ଦୀର୍ଘ ଅବଧି ଅନୁଯାୟୀ ମୌସୁମି ବାୟୁ କେରଳ ଛୁଇଁବାର ୧୦ ଦିନ ମଧ୍ୟରେ ଓଡ଼ିଶାରେ ପହଞ୍ଚି ଥାଏ। ଏ ଦୃଷ୍ଟିରୁ ଜୁନ୍ ୧୦ ସୁଦ୍ଧା ଗଞ୍ଜାମ ଜିଲା ଗୋପାଳପୁର ଦେଇ ଓଡ଼ିଶା ମଧ୍ୟକୁ ମୌସୁମି ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହା କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଦକ୍ଷିଣ-ପଶ୍ଚିମ ମୌସୁମୀର କେରଳ ଆଗମନ ସମୟକୁ ନେଇ ଦ୍ୱିତୀୟ ପୂର୍ବାନୁମାନ ଜାରି କରିଛି । ଏଥିରେ କୁହାଯାଇଛି, ମୌସୁମୀ ସ୍ୱାଭାବିକ ସମୟରେ କେରଳ ଛୁଇଁବ । ମେ’ ୩୧ ତାରିଖବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପ୍ରବେଶ କରିପାରେ । ହୁଏତ ମେ’ ୩୧ର ୪ ଦିନ ପୂର୍ବରୁ କିମ୍ବା ୪ ଦିନ ପରେ କେରଳ ଛୁଇଁପାରେ ମୌସୁମୀ । ତେଣୁ ମେ’ ୨୭ରୁ ଜୁନ୍ ୪ ତାରିଖ ଭିତରେ ମୌସୁମୀ ଯେ କୌଣସି ଦିନ କେରଳ ଛୁଇଁବ ବୋଲି ଆଏମଡି କହିଛି । ଓଡ଼ିଶାରେ ମୌସୁମୀ ଆଗମନର ସ୍ୱାଭାବିକ ତାରିଖ ହେଉଛି ଜୁନ୍ ୧୦ରୁ ୧୨ ତାରିଖ । ଯେହେତୁ ଚଳିତବର୍ଷ ମୌସୁମୀ ସ୍ୱାଭାବିକ କିମ୍ବା ସାମାନ୍ୟ ଆଗୁଆ କେରଳ ଛୁଇଁବା ସମ୍ଭାବନା ଅଛି, ତେଣୁ ଓଡ଼ିଶାକୁ ମଧ୍ୟ ସ୍ୱାଭାବିକ ସମୟରେ ଆସିବା ଅନୁମାନ କରାଯାଉଛି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏ ବର୍ଷ ଗ୍ରୀଷ୍ମରେ କାଳବୈଶାଖୀ ଅଧିକ ହେଉଛି । ନିୟମିତ ବିସ୍ତୀର୍ଣ୍ଣ ଅଞ୍ଚଳ ଉପରେ କାଳବୈଶାଖୀ ହେଉଛି । ଅନୁମାନ କରାଯାଉଛି, ଏଥର ମୌସୁମୀ ସ୍ୱାଭାବିକ ସମୟରେ ଆସିବ । ସ୍ୱାଭାବିକ ସମୟ ଜୁନ୍ ୧୦ରୁ ୧୨ ତାରିଖ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଆଗୁଆ ବି ଆସିପାରେ ।ତେବେ କେରଳ ଛୁଇଁବା ପରେ ଓ ସେତେବେଳର ପାଣିପାଗ ସ୍ଥିତି ଦେଖିବା ପରେ ଚିତ୍ର ଅଧିକ ସ୍ପଷ୍ଟ କରିହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ତାଉତେ’ ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇବ । ଏହା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆଗକୁ ବଢ଼ିବା ପାଇଁ ସହାୟକ ହେବ ।
ଅନୁମାନ କରାଯାଉଛି, ଆସନ୍ତା ୨୧ ତାରିଖବେଳକୁ ଆଣ୍ଡାମାନ ଛୁଇଁବ ମୌସୁମୀ । ୩୧ ତାରିଖବେଳକୁ ମୌସୁମୀ କେରଳ ଉପକୂଳରେ ପ୍ରବେଶ କରିବା ସମ୍ଭାବନା ଅଛି । ହୁଏତ ୪ ଦିନ ଆଗୁଆ କିମ୍ବା ୪ ଦିନ ପରେ ମୌସୁମୀ କେରଳ ଛୁଇଁପାରେ । ମୌସୁମୀ କେରଳ ପ୍ରବେଶ କରିବାର ୧୧ରୁ ୧୪ ଦିନ ଭିତରେ ଓଡ଼ିଶାରେ ପହଞ୍ଚିଥାଏ । ମାତ୍ର ଏବେଠାରୁ ମୌସୁମୀର ଓଡ଼ିଶା ଆଗମନ ବାବଦରେ କିଛି ହେବନି । ଅନ୍ୟପଟେ ଆଗାମୀ ଦୁଇ ସପ୍ତାହ ପାଇଁ ଆଇଏମଡି ଜାରି କରିଥିବା ଆକଳନରୁ ଜଣାପଡ଼ିଛି, ଏବେ ଓଡ଼ିଶାରେ ବିଶେଷ ବର୍ଷା ହେବନି । ଗରମ ଧୀରେଧୀରେ ବଢ଼ିବ । ୨୦ ତାରିଖ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ । ଆସନ୍ତା ୨୧ରୁ ୨୭ ତାରିଖ ଭିତରେ ରାଜ୍ୟର କେତେକ ଜାଗାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ । ସେତେବେଳକୁ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା ଅଛି । ଅର୍ଥାତ୍ ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅଧିକ ଅନୁଭୂତ ହେବ । ଆଞ୍ଚଳିକ ପାଣିପାଗ ବିଭାଗ କହିଛି, ଆସନ୍ତା ଦୁଇଦିନ ରାଜ୍ୟର ଅଳ୍ପ କେତୋଟି ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ । ମାତ୍ର ବଡ଼ଧରଣର କାଳବୈଶାଖୀ ସମ୍ଭାବନା କମ୍ ରହିଛି । ଅପରପକ୍ଷରେ ଆସନ୍ତା ୪୮ ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆଶଙ୍କା ଅଛି । ଏଭଳି ହେଲେ ଅଚାନକ ଉତ୍ତର ଓଡ଼ିଶାରେ ଗରମ ପ୍ରକୋପ ଅସ୍ୱାଭାବିକ ହୋଇପଡ଼ିବ ।