ଏଣିକି ସପ୍ତାହର ୭ଦିନ କାମ କରିବ ଶିକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ : ଏବେ ଆଉ ଶନିବାର କି ରବିବାର ଛୁଟି ନାହିଁ । ସପ୍ତାହର ୭ଦିନ କାମ କରିବ ଶିକ୍ଷା ମନ୍ତ୍ରଣାଳୟ । ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିବା ପରେ ହୋଇଛି ଏହି ବଡ଼ ନିଷ୍ପତି । ଶନିବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାର ଘୋଷଣା କରାଯାଇଛି ।
କେନ୍ଦ୍ରୀୟ କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ ଅଦଳବଦଳ ପରେ ପୂର୍ବତନ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଶର ନୂତନ ଶିକ୍ଷାମନ୍ତ୍ରୀ କରାଯାଇଛି । ଏହାପୂର୍ବରୁ ରମେଶ ପୋଖରିଆଲ ନିଶଙ୍କ ଶିକ୍ଷା ମନ୍ତ୍ରଣାଳୟ କାର୍ଯ୍ୟଭାର ସମ୍ଭାଳୁଥିଲେ । କାର୍ଯ୍ୟଭାର ସମ୍ଭାଳିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ସେ ସର୍ବପ୍ରଥମେ ନୂତନ ଶିକ୍ଷା ନୀତି ଲାଗୁ କରିବା ଦିଗରେ କାମ କରିବେ । ଶିକ୍ଷା ରାଜ୍ୟର ବିଷୟ । ତଥାପି କେନ୍ଦ୍ର ଓ ରାଜ୍ୟ ଦାୟିତ୍ୱ ଆଧାରରେ ନୂତନ ଭାରତ ନିର୍ମାଣ ପାଇଁ ମିଶିକି କାମ କରିବେ । ସେହିପରି ଦେଶକୁ ଦୀର୍ଘ ୩୪ ବର୍ଷ ପରେ ନୂତନ ଶିକ୍ଷା ନୀତି ମିଳିଛି। ନୂଆ ଶିକ୍ଷା ନୀତି ଆଧାରରେ ଶିକ୍ଷାରେ ବଡ ଧରଣର ପରିବର୍ତ୍ତନ ଆରମ୍ଭ ହୋଇ ଯାଇଛି। ଏବେ ବିଦ୍ୟାର୍ଥୀ କେବଳ ଡିଗ୍ରୀ ପାଇଁ ପଢିବେ ନାହିଁ ବରଂ ସେମାନଙ୍କୁ ବ୍ୟାପକ ବିଷୟରେ ଜ୍ଞାନ ମିଳିବ। ସେମାନେ ବହୁ ବିଷୟ ଆଧାରିତ ପାଠ ପଢି ପାରିବେ ଏବଂ ରୋଜଗାର ନେବେ ନାହିଁ ବରଂ ରୋଜଗାର ଦେଇ ପାରିବେ। ପ୍ରଧାନ କହିଥିଲେ, ଏହି ମନ୍ତ୍ରଣାଳୟ ସହ ମୌଲାନା ଅବଦୁଲ କଲାମ ଆଜାଦଙ୍କ ନାମ ଜଡିତ ରହିଛି। ସେ ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ଥିଲେ, ଏଥିପାଇଁ ଆମକୁ ସମସ୍ତଙ୍କୁ ସାଥୀରେ ନେଇ ଶିକ୍ଷାକୁ ଆଗେଇ ନେବା ଉପରେ କାମ କରିବାକୁ ପଡିବ। ପଦଭାର ସମ୍ଭାଳିବା ପରେ ଦ୍ଵିତୀୟ ଦିନ ସେ ସ୍କୁଲ ଓ ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀଙ୍କଠୁ ପୂରା ରିପୋର୍ଟ ନେଇଥିଲେ। ଏଥିରେ ସିବିଏସଇ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ଅନୁଦାନପ୍ରାପ୍ତ ବିଶ୍ଵ ବିଦ୍ୟାଳୟ, ଅଖିଳ ଭାରତୀୟ ବୈଷେୟିକ ଶିକ୍ଷା ପରିଷଦ ସମେତ ଅନ୍ୟ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ।