ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ନେଇ ବିଚାର ବିମର୍ଷ

- ୯ ଜିଲ୍ଲାର ସଂକ୍ରମଣ ହାର ୫ ପ୍ରତିଶତରୁ ବି କମ୍
- ୧୫ ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ୭.୫ ପ୍ରତିଶତରୁ କମ୍
ଭୁବନେଶ୍ୱର : ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ହାର । ତେଣୁ ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେବା ପାଇଁ ଅନଲକ୍ ପ୍ରକ୍ରିୟା ଆରମ୍ଭ ନେଇ ବିଚାର ବିମର୍ଷ ଚଳାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣ ଖସିଲେ ଲକଡାଉନ କୋହଳ କରାଯିବା ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ସମୀକ୍ଷା ବୈଠକରେ ସଙ୍କେତ ଦେଇଛନ୍ତି । ଅନୁମାନ କରାଯାଉଛି, ସମ୍ଭବତଃ ରଜ ପରେ ଲକଡାଉନ କଟକଣା କୋହଳ ହେବା ସହ ପର୍ଯ୍ୟାୟ କ୍ରମେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ । ବର୍ତ୍ତମାନ ସ୍ଥିତି ଯାହା, ଅଧା ଓଡ଼ିଶାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ଖସିବାରେ ଲାଗିଛି । ଜୁନ୍ ୯ ତାରିଖର ରିପୋର୍ଟ କହୁଛି, ୧୫ ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ୭.୫ ପ୍ରତିଶତରୁ କମ୍ । ଏଥିମଧ୍ୟରୁ ୯ ଜିଲ୍ଲାର ସଂକ୍ରମଣ ହାର ୫ ପ୍ରତିଶତରୁ ବି କମ୍ । ଏସବୁ ଜିଲ୍ଲାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ନେଇ ଆଶା ଦେଖା ଦେଇଛି
ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ବୁଧବାର ରାଜ୍ୟର ଦୈନିକ ସଂକ୍ରମଣ ହାର ବା ପଜିଟିଭିଟି ରେଟ୍ ଥିଲା ୮.୭୫% । ସବୁଠୁ କମ୍ ସଂକ୍ରମଣ ହାର ରହିଛି ଝାରସୁଗୁଡ଼ା ଜିଲ୍ଲାରେ । ଏଠାରେ ଦୈନିକ ସଂକ୍ରମଣ ହାର ମାତ୍ର ୧.୫୯% । ନୂଆପଡ଼ାରେ ୨.୧୧%, ଗଞ୍ଜାମରେ ୨.୭%, ସୋନପୁରରେ ୩.୯୫%, ବଲାଙ୍ଗିରରେ ୩.୫୩%, ଦେବଗଡ଼ରେ ୩.୯୯%, କଳାହାଣ୍ଡିରେ ୪.୦୧%, ବରଗଡ଼ରେ ୪.୩୧% ଓ ସମ୍ବଲପୁରରେ ୪.୩୪ ପ୍ରତିଶତ । ଏସବୁ ଜିଲ୍ଲା ଏବେ ଗ୍ରୀନ୍ ଜୋନରେ ।ୟେଲୋ ଜୋନ୍ (୫ ପ୍ରତିଶତରୁ ୭.୪% ଭିତରେ) ରହିଛି ୬ଟି ଜିଲ୍ଲା । କନ୍ଧମାଳରେ ସଂକ୍ରମଣ ହାର ୫.୦୨% ଥିବାବେଳେ ଗଜପତି ୫.୨%, ସୁନ୍ଦରଗଡ଼ ୬.୦୧%, ମାଲକାନଗିରି ୬.୭୮%, ଅନୁଗୁଳ ୭.୨୮% ଓ କେନ୍ଦୁଝରରେ ପଜିଟିଭ୍ ହାର ୭.୪୩% ରହିଛି ।
ସରକାର ଜୀବନ ସହ ଜୀବିକାକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି । ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ୱରୂପ ସୁନ୍ଦରଗଡ଼, ନୂଆପଡ଼ା, ଗଜପତି ଜିଲ୍ଲାରେ ସଂକ୍ରମଣ ହାର ଖସିଥିବାରୁ ଜୁନ୍ ପହିଲାରୁ ଏଠାରେ ଲକଡାଉନ କଟକଣା କେତେକାଂଶରେ କୋହଳ କରାଯାଇଛି । ତେଣୁ ଆଶା କରାଯାଉଛି, ଦ୍ରୁତ ଗତିରେ ସଂକ୍ରମଣ ଖସିଥିବା ଜିଲ୍ଲାଗୁଡ଼ିକରେ ଜୁନ୍ ୧୭ରୁ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇପାରେ । ସମ୍ଭବତଃ ପ୍ରଥମ ପର୍ଯ୍ୟାୟରେ ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ହାର ୫%ରୁ କମ୍ ଥିବ, ସେ ଜିଲ୍ଲାବାସୀଙ୍କ ପାଇଁ ଅନଲକ୍ ପ୍ରକ୍ରିୟା ପ୍ରଥମେ ଆରମ୍ଭ ହୋଇପାରେ । ଏପରିକି ୫ରୁ ୭.୫ ପ୍ରତିଶତ ପଜିଟିଭ୍ ହାର ଥିବା ଜିଲ୍ଲାକୁ ମଧ୍ୟ ବିଚାରକୁ ନିଆଯାଇପାରେ । ଯଦି ଏଭଳି ହୁଏ, ତେବେ ରଜ ପର୍ବ ପରେ ଅଧା ଓଡ଼ିଶାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ । ତେବେ ଏସବୁ ପ୍ରସ୍ତାବ ଉପରେ ବିଚାର ବିମର୍ଷ କରାଯାଉଛି । ମାତ୍ର ନିଷ୍ପତ୍ତି ଚୂଡ଼ାନ୍ତ ହୋଇନାହିଁ । ଶେଷ ରଜବେଳକୁ ଏ ନେଇ କିଛି ବଡ଼ ଘୋଷଣା ହୋଇପାରେ । ହେଲେ ଏଥିପାଇଁ ଆମକୁ ଆହୁରି ସତର୍କତା ପାଳନ କରିବାକୁ ହେବ । ଆମେ ସତର୍କ ରହିଲେ ହିଁ କରୋନା ସଂକ୍ରମଣ ତଳ ମୁହାଁ ହେବ ।
ଯଦିଓ ରାଜ୍ୟରେ ସଂକ୍ରମଣ ହାର ୧୦% ତଳକୁ ଖସିଲାଣି, ତଥାପି ୧୫ ଜିଲ୍ଲାରେ ସଂକ୍ରମଣ ହାର ଏବେ ବି ୭.୫ ପ୍ରତିଶତ ଉପରେ ରହିଛି । ଆଜିର ରିପୋର୍ଟ ଅନୁଯାୟୀ ଯାଜପୁରରେ ପଜିଟିଭ୍ ହାର ସର୍ବାଧିକ ୨୩.୫୫% ଥିବାବେଳେ ପୁରୀରେ ୧୬.୫୧%, ଭଦ୍ରକରେ ୧୩.୪୬%, ନୟାଗଡ଼ରେ ୧୩.୦୩%, ଖୋର୍ଦ୍ଧାରେ ୧୨.୨%, କଟକରେ ୧୨.୧%, ବୌଦ୍ଧରେ ୧୧.୦୩%, ମୟୂରଭଞ୍ଜରେ ୧୧.୭୧%, ଜଗତସିଂହପୁରରେ ୧୧.୨୭%, ଢେଙ୍କାନାଳରେ ୧୦.୬୯%, ରାୟଗଡ଼ାରେ ୯.୫୧%, କୋରାପୁଟରେ ୯.୬୪%, କେନ୍ଦ୍ରାପଡ଼ାରେ ୯.୭୧%, ବାଲେଶ୍ୱରରେ ୮.୨ ପ୍ରତିଶତ ରହିଛି । ଅର୍ଥାତ୍ ଅଧା ଓଡ଼ିଶା ଏବେ ବି ରେଡ୍ ଜୋନରେ ଅଛି । ଏସବୁ ଜିଲ୍ଲାରେ ଲୋକେ ଆହୁରି ସତର୍କତା ପାଳନ କରିବା ସହ ନିୟମକୁ କଡ଼ାକଡ଼ି ମାନିଲେ କରୋନା ସଂକ୍ରମଣ କମିବ । ଆଉ ଅନଲକ୍ ନେଇ ବାଟ ଖୋଲିବ ।