ପତ୍ନୀ ଓ ୨ ଝିଅଙ୍କୁ ଫାର୍ସାରେ ଆକ୍ରମଣ କଲା ସ୍ୱାମୀ, ଡାକ୍ତରଖାନାରେ ଭର୍ତ୍ତି
ଢେଙ୍କାନାଳ : ଘରୋଇ କଳିକୁ ନେଇ ନୃଶଂସ ସ୍ୱାମୀର ନାରକୀୟ କାଣ୍ଡ । କାମ ଧନ୍ଧା ନକରି ଘରେ ବସି ରହିବାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ଲାଗି ରହୁଥିଲା । ଏନେଇ ପ୍ରତିବାଦ କରିବାରୁ ଫାର୍ସାରେ ପତ୍ନୀଙ୍କୁ ଆକ୍ରମଣ କରିଥିଲା ସ୍ୱାମୀ । ଏଥିରେ ତାଙ୍କର ଦୁଇ ଝିଅ ବାପାଙ୍କୁ ଅଟକାଇଥିଲେ। ଫଳରେ ରକ୍ତମୁଖା ପଲଟି ଯାଇଥିବା ବାପା ଦୁଇ ଝିଅଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଫଳରେ ଫାର୍ସା ଚୋଟରେ ମା’ ଓ ଦୁଇ ଝିଅ ଗୁରୁତର ଥିବାରୁ ଗ୍ରାମବାସୀ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମା’ ଝିଅ ତିନି ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଯେ, ଢେଙ୍କାନାଳ ଜିଲା କାମାକ୍ଷାନଗର ଡିମିରିଆ ଗ୍ରାମରେ ଶୁକ୍ରବାର ସକାଳେ ଏପରି ଅଭାବନୀୟ ଘଟିଛି । ପ୍ରାଣବନ୍ଧୁ ରାଉତ ନାମକ ବ୍ୟକ୍ତି ଏପରି ନୃଶଂସ କାଣ୍ଡ ଘଟାଇଛନ୍ତି । ଗୁରୁତରମାନେ ହେଲେ ପ୍ରାଣବନ୍ଧୁଙ୍କ ପତ୍ନୀ ମିନାକ୍ଷୀ ରାଉତ, ବଡ଼ଝିଅ ୨୩ ବର୍ଷର ଅଞ୍ଜଳି ରାଉତ ଓ ସନଝିଅ ୧୫ବର୍ଷର ମୋନାଲିସା ରାଉତ ବୋଲି ଜଣାପଡିଛି । ଆକ୍ରମଣ କରିବା ପରେ ଗ୍ରାମବାସୀମାନେ କାବୁ କରି ଘରେ ବନ୍ଦ କରି ରଖିଥିବା ପ୍ରାଣବନ୍ଧୁଙ୍କୁ କାମାକ୍ଷାନଗର ପୋଲିସ ଗିରଫ କରିଛି । ଆକ୍ରମଣରେ ବ୍ୟବହୃତ ଫାର୍ସାକୁ ମଧ୍ୟ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ସ୍ବାମୀର ଫାର୍ସା ଚୋଟରେ ପତ୍ନୀ ମିନାକ୍ଷୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାବେଳେ ବଡ଼ଝିଅ ଅଞ୍ଜଳୀଙ୍କ ମୁହଁରେ ଚୋଟ ବାଜିଛି । ସାନଝିଅ ହାତରେ ଗଭୀର କ୍ଷତ ହୋଇଥିବାବେଳେ ଦୁଇ ଝିଅ ବିପଦ ମୁକ୍ତ ଥିବା ଡାକ୍ତରଖାନା ସୁତ୍ରରୁ ସୂଚନା ମିଳିଛି । ଏପରି ଘଟଣାକୁ ନେଇ ଦିମିରିଆ ଗ୍ରାମରେ ଆଲୋଡନ ସୃଷ୍ଟି ହୋଇଛି ।