ଗଞ୍ଜେଇ ବୋଝେଇ କାର୍ରେ ଲାଗିଲା ନିଆଁ, ଡ୍ରାଇଭର ଫେରାର
ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଛକ ନିକଟରେ ଚଳନ୍ତା କାରରେ ହଠାତ ନିଆଁ ଲାଗିଯାଇଛି । ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି । ନିଆଁ ଲାଗିବା ପରେ ଧରାପଡିବା ଭୟରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛି । ମାତ୍ର ଗାଡ଼ିରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ି ନଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ୍ ଓ ଅବକାରୀ ବିଭାଗ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
ସୂଚନା ଯେ, ଶୁକ୍ରବାର ସକାଳୁ କଣ୍ଟାମାଳ ଆଡୁ ଗଞ୍ଜେଇ ଭର୍ତ୍ତି କାର୍ ସୋନପୁର ଆଡକୁ ଯିବା ସମୟରେ ଚଳନ୍ତା ଅବସ୍ଥାରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ଫଳରେ ଚାହୁଁ ଚାହୁଁ ନିଆଁ ଗାଡିର ସବୁ ଆଡେ ଲାଗି ଯାଇଥିଲା । ଗାଡ଼ିରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବାରୁ ଗାଡି ଚାଳକ କୌଶଳ କ୍ରମେ ଗାଡିରୁ ଓହ୍ଲାଇ ଗାଡିଟିକୁ ରାସ୍ତା କଡରେ ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ଗାଡିର ମାଲିକାନା ଓ ଗାଡିରେ କେଉଁଠୁ କେଉଁଠିକୁ ଗଞ୍ଜେଇ ଚାଲାଣ ହେଉଥିଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ଓ କଣ୍ଟାମାଳ ଅବକାରୀ ବିଭାଗ ପହଞ୍ଚି ତଦନ୍ତ ଚଳାଇଛନ୍ତି ।