ଏଣିକି ଘରେ ରହୁଥିବା କୋଭିଡ ରୋଗୀଙ୍କ ପାଇଁ ଅକ୍ସିଜେନ୍ ପହଞ୍ଚାଇବେ ସରକାର
ନୂଆଦିଲ୍ଲୀ : ଏଣିକି ଘରେ ରହୁଥିବା କୋଭିଡ ରୋଗୀଙ୍କ ପାଇଁ ସରକାର ଜରୁରୀକାଳୀନ ଅମ୍ଳଜାନ ଯୋଗାଇବା ପାଇଁ ଏକ କେନ୍ଦ୍ରୀକୃତ ଅମ୍ଳଜାନ ପୁଲ ସୃଷ୍ଟି କରିବେ । ଏହି ପୁଲ୍ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ । କୋଭିଡ ରୋଗୀଙ୍କ ଗମ୍ଭୀରତାକୁ ଦୃଷ୍ଟିରେ ରଖି ଘରେ ଅମ୍ଳଜାନ ଦେବେ କି ନାହିଁ ତାହା ସ୍ଥିର କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କର ଅଧିକାର ରହିବ ।
ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାକୁ ୨୦-୨୦ ଅମ୍ଳଜାନ ସିଲିଣ୍ଡର କୋଟା ଦେଇଛି । ୫୦ ହଜାରରୁ ଅଧିକ ରୋଗୀ ଦିଲ୍ଲୀରେ ଘରେ ସଂଗରୋଧରେ ଅଛନ୍ତି । ବର୍ତ୍ତମାନ, ଅମ୍ଳଜାନ ଦରକାର ହେଲେ, ସେମାନେ ଡାକ୍ତରଖାନା ମୁହାଁ ହେଉଛନ୍ତି । ହେଲେ ବେଡ ମିଳିପାରୁନିଥିବାରୁ ସେମାନେ ବହୁତ ହଇରାଣର ସମ୍ମୁଖୀନ ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଘରେ ଅମ୍ଳଜାନ ଯୋଗାଇ ଡାକ୍ତରଖାନାଗୁଡ଼ିକରେ ଯାତାୟାତ ହ୍ରାସ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି ।
ଦେବାକୁ ପଡିବ ଖାଲି ସିଲିଣ୍ଡର :
ତେବେ ଏଥିପାଇଁ ଖାଲି ଅମ୍ଳଜାନ ସିଲିଣ୍ଡର ଦାନ କରିବାକୁ ସରକାର ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି । ବରିଷ୍ଠ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଆଶିଷ କୁନ୍ଦ୍ରାଙ୍କ ଅନୁଯାୟୀ ରାଜଘାଟ ଡିଟିସି ବସ୍ ଡିପୋରେ ଏକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି, ଯେଉଁଠାରେ ଲୋକେ ସିଲିଣ୍ଡର ଦାନ କରିପାରିବେ । ଏହି ସୂଚନା ପାଇଁ, ଆପଣ ୦୧୧-୨୩୨୭୦୭୧୮କୁ କଲ କରିପାରିବେ ।
କେମିତି କରିବେ ପଞ୍ଜୀକରଣ :
ଘର ସଂଗରୋଧରେ ରହୁଥିବା କୋଭିଡ ରୋଗୀମାନେ ଦିଲ୍ଲୀ ସରକାରୀ ପୋର୍ଟାଲ www.delhi.gov.in ରେ ପଞ୍ଜୀକୃତ ହୋଇ ଅମ୍ଳଜାନ ସିଲିଣ୍ଡର ପାଇପାରିବେ । ଏଥିପାଇଁ ପଞ୍ଜୀକରଣ ସମୟରେ ସେମାନଙ୍କୁ ଫଟୋ ପରିଚୟ ପତ୍ର, ଆଧାର କାର୍ଡ, କୋଭିଡ ପରୀକ୍ଷା ରିପୋର୍ଟ ଏବଂ ଯଦି ସିଟି ସ୍କାନ ରିପୋର୍ଟ ଅପଲୋଡ୍ କରିବାକୁ ପଡିବ। ଏହାକୁ ଭିତ୍ତି କରି ଜିଲ୍ଲା ମାଜିଷ୍ଟ୍ରେଟ୍ ସେମାନଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇଦେବେ । ପରେ ଆବଶ୍ୟକ ହେଲେ ସେମାନେ ଜିଲ୍ଲାର ରିଫିଲିଂ ପ୍ଲାଣ୍ଟରୁ ରିଫିଲ୍ କରିବାକୁ ମଧ୍ୟ ପାସ୍ ପାଇବେ ।