ଆନ୍ଧ୍ରପ୍ରଦେଶରେ କରୋନାର ନୂଆ ଷ୍ଟ୍ରେନ୍, ଜଣଙ୍କର ମୃତ୍ୟୁ

- ବର୍ତ୍ତମାନର ଭାଇରସ ତୁଳନାରେ ଅଧିକ ଘାତକ ଓ ମାରାତ୍ମକ
ନୂଆଦିଲ୍ଲୀ : କରୋନାର ଅନେକ ରୂପ ବିଶ୍ୱବାସୀଙ୍କର ଚିନ୍ତା ବଢ଼ାଇ ଦେଇଛନ୍ତି । ଗତ ବର୍ଷ ଆମେ ଜାଣିଥିଲେ କରୋନା ନାଁରେ ଏକ ଭାଇରସ ଆସିଛି । ଏବର୍ଷ ଜାଣିବାକୁ ମିଳିଲା ଯେ ୟୁକେ ଷ୍ଟ୍ରେନ୍, ଦକ୍ଷିଣ ଆଫ୍ରିକୀୟ ଷ୍ଟ୍ରେନ୍, ପଶ୍ଚିମବଙ୍ଗ ମ୍ୟୁଟାଣ୍ଟ ଏବଂ ଏବେ ଆନ୍ଧ୍ର ପ୍ରଦେଶରେ କରୋନାର ନୂଆ ଷ୍ଟ୍ରେନ୍ । ଆନ୍ଧ୍ରପ୍ରଦେଶରେ କରୋନା ଭାଇରସନର ନୂଆ ଷ୍ଟ୍ରେନ ନେଇ ପ୍ରଚାର ହେବା ପରେ ଛତିଶଗଡ଼ ସୀମାକୁ ସିଲ କରି ଦିଆଯାଇଛି । କାରଣ କରୋନା ଭାଇରସ ଛତିଶଗଡ଼ରେ ନିଜର କାୟା ବିସ୍ତାର କରିଚାଲିଛି । ଆନ୍ଧ୍ର ପ୍ରଦେଶରେ କରୋନା ଭାଇରସର ନୂଆ ଷ୍ଟ୍ରେନ ଦେଖାଯାଇଛି । ଫଳରେ ପଡୋଶୀ ଛତିଶଗଡ଼ର ସୁକମା ସୀମାକୁ ସିଲ କରି ଦିଆଯାଇଛି । ଏହି ରାସ୍ତାରେ ଉଭୟ ରାଜ୍ୟର ଲୋକଙ୍କର ଯିବା-ଆସିବା ଉପରେ କଟକଣା ଲାଗୁ କରି ଦିଆଯାଇଛି । ଆନ୍ଧ୍ରପ୍ରଦେଶରେ ବଢୁଥିବା ସଂକ୍ରମଣ ଯୋଗୁଁ ଓଡ଼ିଶା ମଧ୍ୟ ଦିନକ ପୂର୍ବରୁ ଓଡ଼ିଶା-ଆନ୍ଧ୍ର ଓ ଓଡ଼ିଶା-ତେଲେଙ୍ଗାନା ସୀମାକୁ ସିଲ କରିଦେଇଛି ।
ଛତିଶଗଡର ଜଗଦଲପୁରରେ ରହୁଥିବା ଜଣେ ୩୫ ବର୍ଷୀୟ ଯୁବକ ଆଇସୋଲେସନ ସେଣ୍ଟରରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ଆତଙ୍କ ଖେଳିଯାଇଛି । ହାଇଦ୍ରାବାଦରୁ ଫେରିଥିବା ଏହି ଯୁବକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଥିଲା । ଗତ ୪ ତାରିଖରେ ସେ ପ୍ରାଣ ହରାଇଛନ୍ତି । ଯୁବକଙ୍କ ମୃତ୍ୟୁ ପରେ ତାଙ୍କର ଟେଷ୍ଟ କରାଯାଇଥିଲା । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କିନ୍ତୁ ସବୁଠାରୁ ବଡ କଥା ଏହା ଯେ ତାଙ୍କଠାରେ ଆନ୍ଧ୍ର ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ସୂଚନା ଯେ, କରୋନାର ଦ୍ୱିତୀୟ ଲହର ବେଳେ ଆନ୍ଧ୍ର ମ୍ୟୁଟାଣ୍ଟର ନୂଆ ଷ୍ଟ୍ରେନ୍ ଚିନ୍ତା ବଢାଇ ଦେଇଛି । ଏହା ବର୍ତ୍ତମାନର ଷ୍ଟ୍ରେନ୍ ଠାରୁ ଅଧିକ ଭୟଙ୍କର ଅଟେ । ଏହି ଷ୍ଟ୍ରେନ୍ ଆନ୍ଧ୍ର, ତେଲେଙ୍ଗାନା ଓ କର୍ଣ୍ଣାଟକରେ କ୍ଷୀପ୍ର ଗତିରେ ବ୍ୟାପୁଛି । ଏହାର ପ୍ରଭାବ ବସ୍ତର ଯାଏଁ ପହଁଚି ଯାଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଚିନ୍ତିତ ହୋଇ ପଡିଛି । ଏହି ଷ୍ଟ୍ରେନରେ ଆକ୍ରାନ୍ତ ସଂକ୍ରମିତ ହେବାର ୪ ଦିନ ମଧ୍ୟରେ ହାଇପୋକ୍ସିଆ ବା ଡିସପାନିଆର ଶିକାର ହେଉଛନ୍ତି । ଫଳରେ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୁଏ ଓ ଅକ୍ସିଜେନ ଅଭାବରୁ ଆକ୍ରାନ୍ତ ପ୍ରାଣ ହରାଇଥାଏ ।