ସମସ୍ତଙ୍କୁ କୋଭିଡ ଟିକା ଉପଲବ୍ଧ କରାଇବା ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରଭାବକୁ ଦୂର କରିବା ପାଇଁ ସମସ୍ତଙ୍କୁ କୋଭିଡ ଟିକା ଉପଲବ୍ଧ କରାଇବା ସକାଶେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଗୁରୁତ୍ୱାରୋପ କରିଛନ୍ତି। ସାରା ବିଶ୍ୱରେ ସବୁ ଲୋକମାନଙ୍କୁ ଶୀଘ୍ର କୋଭିଡ ଟିକା ଯୋଗାଇ ଦେବାପାଇଁ ବିଶ୍ୱ ସମୁଦାୟ ମିଳିତ ଭାବେ ଗବେଷଣା ଓ ଟିକା ତିଆରି କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।
ଗୋଟିଏ ଟିକା ସମସ୍ତଙ୍କ ପାଇଁ’ ଶୀର୍ଷକ ଉପରେ ଆୟୋଜିତ ଅର୍ଥନୈତିକ ଓ ସାମାଜିକ ପରିଷଦ ସ୍ୱତନ୍ତ୍ର ମନ୍ତ୍ରୀସ୍ତରୀୟ ବୈଠକରେ ନିଜର ମତବ୍ୟକ୍ତ କଲାବେଳେ ଡ. ବର୍ଦ୍ଧନ କହିଛନ୍ତି ସାରା ବିଶ୍ୱରେ ଶସ୍ତାରେ ଟିକାର ଉପଲବ୍ଧ କରାଇବା ଏବଂ ସବୁ ଲୋକଙ୍କୁ ଟିକା ଯୋଗାଣ କରାଇବା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ସେ କହିଛନ୍ତି ବିଶ୍ୱସ୍ତରରେ ସହଯୋଗ ବିନା କୋଭିଡ ଟିକା କରୋନା ପ୍ରଭାବିତ ଦେଶଗୁଡ଼ିକୁ ପ୍ରଦାନ କରିବା ଅସମ୍ଭବ ହୋଇପଡିବ। ତେଣୁ ଦେଶଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ଓ ସମନ୍ୱୟ ରକ୍ଷା କରିବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି। ବିଭିନ୍ନ ରୂପରେ କରୋନା ଭୁତାଣୁ ସଂକ୍ରମଣ ହେଉଥିବାରୁ ଠିକଣା ସମୟରେ ସୂଚନା ଆଦାନପ୍ରଦାନ ହୋଇପାରିଲେ ନୂଆ ଚ୍ୟାଲେଞ୍ଜ ଗୁଡ଼ିକୁ ଫଳପ୍ରଦ ଭାବେ ମୁକାବିଲା କରାଯାଇ ପାରିବ ବୋଲି ସେ ମତ ଦେଇଛନ୍ତି। ସେହିପରି ବର୍ତ୍ତମାନ ଭାରତରେ ଦୁଇଟି ଟିକା ଦିଆଯାଉଛି, ଯାହା ବିଶ୍ୱସ୍ତରରେ ଦେଶକୁ ଅଗ୍ରଣୀ ସ୍ଥାନରେ ରଖିଛି। ସେ କହିଛନ୍ତି ଆହୁରି ୨୦ଟି ଟିକା ପ୍ରସ୍ତୁତ କରାଯାଉଛି। ଦେଶର ସବୁ ନାଗରିକଙ୍କୁ ଟିକା ଦେବା ପାଇଁ ସରକାର ବଦ୍ଧପରିକର ଅଛନ୍ତି ବୋଲି ସେ କହିଛନ୍ତି।