ପିପିଲି ଉପ-ନିର୍ବାଚନ : ଆଜି ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
![](https://thetruths.in/wp-content/uploads/2021/04/CM-Odisha-T-1.jpg)
ଭୁବନେଶ୍ୱର : ଆସନ୍ତା ୧୭ରେ ପିପିଲି ଉପ-ନିର୍ବାଚନ ହେବାକୁ ଥିବାବେଳେ ୧୫ରେ ଶେଷ ହେବ ପ୍ରଚାର । ନିଜ ନିଜର ପ୍ରାର୍ଥୀ ପାଇଁ ବିଭିନ୍ନ ରାଜନୈତିକ ଦଳର ଦଳପତି ଓ ଶୀର୍ଷ ନେତୃତ୍ୱମାନେ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି। ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ସହ ବାଇକ୍ ରାଲି, ଶୋଭାଯାତ୍ରାରେ କମ୍ପୁଛି ପିପିଲି ଓ ଡେଲାଙ୍ଗ । ପିପିଲି ଉପନିର୍ବାଚନ ମୈଦାନରେ ୧୦ ଜଣ ପ୍ରାର୍ଥୀ ଅଛନ୍ତି, ହେଲେ ଟକ୍କର ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମଧ୍ୟରେ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ଭୋଟ ମାଗୁଛନ୍ତି ବିଜେଡିର ହେଭିୱେଟ୍। ବିଧାୟକ, ମନ୍ତ୍ରୀ ରାଲି ଓ ସଭାରେ ଯୋଗଦେଇ ଭୋଟ ଭିକ୍ଷା କରୁଛନ୍ତି । ପିପିଲି ଉପନିର୍ବାଚନ ପାଇଁ ହାତରେ ପ୍ରଚାର ପାଇଁ ଆଉ ମାତ୍ର ୪ ଦିନ । ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ଭଉଣୀ ଓ ଭିଣୋଇଙ୍କ ସମେତ ଦଳର ତାରକା ପ୍ରଚାରକ ଏଠାରେ ଜିତିବାକୁ ଦିନରାତି ଏକ କରିଦେଇଛନ୍ତି । ଏହାରି ମଧ୍ୟରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ। ଭର୍ଚୁଆଲ ମିଟିଂରେ ରୁଦ୍ରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୩ ତାରିଖରେ ବିଜେପି ପାଇଁ ନିର୍ବାଚନ ପ୍ରଚାରକୁ ଓହ୍ଲାଉଛନ୍ତି। ଶୋଭାଯାତ୍ରା କରି ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଜିଲ୍ଲା ପ୍ରଶାସନଠାରୁ ଆବଶ୍ୟକ ଅନୁମତି ନିଆଯାଇଛି।
ସବୁ ଦଳର ଷ୍ଟାର୍ କ୍ୟାମ୍ପେନ୍ର ବି ଆସି ପିପିଲି ଓ ଡେଲାଙ୍ଗରେ ଡେରା ପକାଇଛନ୍ତି। ବିଜେଡିର ତୁଙ୍ଗ ନେତା, ମନ୍ତ୍ରୀମାନେ ପ୍ରତି ପଞ୍ଚାୟତରେ ଡେରା ପକାଇବା ସହ ପଦଯାତ୍ରା, ରାଲି, ସଭା କରି ଦଳର ସ୍ଥିତି ମଜବୁତ୍ କରିବାରେ ଲାଗି ପଡ଼ିଛନ୍ତି। ବିଜେପି ଓ କଂଗ୍ରେସ ବି ପ୍ରଚାରକୁ ଜୋରଦାର କରିଛନ୍ତି। ମହିଳା ସଂଗଠନକୁ ନେଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତାକାଲିଠାରୁ ବିଭିନ୍ନ ଦଳର ଶୀର୍ଷ ନେତୃତ୍ବଙ୍କ ପ୍ରଚାର ଆରମ୍ଭ ହେଉଥିବାବେଳେ ପିପିଲି ଉପନିର୍ବାଚନରେ ପ୍ରଥମଥର ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କ ପାଇଁ ନିର୍ବାଚନୀ ପ୍ରଚାରକୁ ଓହ୍ଲାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଏହି ଭର୍ଚୁଆଲ୍ ମିଟିଂ ସୋମବାର ଅପରାହ୍ଣ ୪ଟାରେ ଆରମ୍ଭ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିପିଲି ବ୍ଲକ୍ ଓ ଏନ୍ଏସି ସହ ଡେଲାଙ୍ଗ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଭର୍ଚୁଆଲ୍ ମିଟିଂ କରିବେ। ଧାର୍ଯ୍ୟ କାର୍ଯ୍ୟସୂଚୀ ମୁତାବକ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ୨୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଗୋବିନ୍ଦପୁର ପଞ୍ଚାୟତ ପାଟସାହାଣୀପୁର, ୨୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ଦାଣ୍ଡମୁକୁନ୍ଦପୁର ବାଲିପଡ଼ିଆ, ୨୪ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଯଶୁଆପୁର ପଞ୍ଚାୟତ କୁମାରେଶ୍ବର ମେଳଣପଡ଼ିଆରେ ନିର୍ବାଚନୀ ପ୍ରଚାର କରିବେ। ସେହିଭଳି ଡେଲାଙ୍ଗ ବ୍ଲକ୍ର ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ୍ ରେଞ୍ଚ ପଞ୍ଚାୟତର ରେଞ୍ଚ, ୧୬ ନମ୍ବର ଜିଲ୍ଲା ପରିଷଦ ଜୋନ୍ କୋଠବାଡ଼ ପଞ୍ଚାୟତର ବଡ଼ଆଙ୍କୁଲା ଓ ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ସିଂବରହମ୍ପୁର ପଞ୍ଚାୟତ ସିଂବରହମପୁରରେ ନିର୍ବାଚନୀ ପ୍ରଚାର କରିବେ। ରୁଦ୍ରପ୍ରତାପଙ୍କ ପାଇଁ ଭୋଟରଙ୍କୁ ନିବେଦନ କରିବେ। ଅନ୍ୟପଟେ ଆସନ୍ତା ୧୩ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନୀ ପ୍ରଚାରକୁ ଓହ୍ଲାଉଛନ୍ତି। ଶ୍ରୀ ପ୍ରଧାନ ଉତ୍ତରାଛକ ନିକଟ ସିଫାଠାରୁ ଦଳୀୟ ରାଲିରେ ବାହାରି ପିପିଲି ବାଇପାସ୍ ଛକ ହୋଇ ପିପିଲି ବଜାର, ଡେଲାଙ୍ଗ ବଜାର, ହରିରାଜପୁର ଆଦି ସ୍ଥାନରେ ନିର୍ବାଚନୀ ପ୍ରଚାର କରିବେ। ଏହି ଅବସରରେ ସେ ଉତ୍ତରାଛକ ଉତ୍ତରାଶାସନ, ଲକ୍ଷ୍ମୀନାରାୟଣପୁରର ଗୁଡ଼ିଆପୋଖରୀ, ଗୋବିନ୍ଦପୁରର ସଙ୍ଗଲାଇ ଛକ, କୁଞ୍ଜହରା, ମାଟିଆପଡ଼ା, ବାଲିସାହି, ହରିଅନ୍ତା, ଜଗନ୍ନାଥପୁର, ପିପିଲି ଏନଏସି, ଜଟଣୀ ଛକ, ହାଟସାହି, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ତେଇଶିପୁର, ଯଶୁଆପୁର, ସାତଶଙ୍ଖ, ପଟ୍ଟନାୟିକିଆ, ଜେନାପୁରର ମୋହିନି ମଠ, ଗୁଲିଆପଡ଼ାର ପିଢ଼ାପାଟଣା, ଷ୍ଟେସନ୍ ବଜାର, ବେରବୋଇ ଗାନ୍ଧୀପୀଠ, ହାଟ ଡେଲାଙ୍ଗ, ଗଡ଼ମୋଟରି, ବାଟୋଲା, ମୋଟରି, ଗଣ୍ଡପଡ଼ା, ସିଂବରହମପୁର, ପାଣିଦୋଳ, ମଠସାହି ବୁଲି ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଏକ ବାଇକ୍ ରାଲିର ବି ଆୟୋଜନ କରାଯାଇଛି। ପ୍ରାୟ ୨ଶହ ବାଇକ୍ ଧରି ରାଲିରେ ବାହାରିବେ ଧର୍ମେନ୍ଦ୍ର। ସେପଟେ ଆସନ୍ତାକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ନିର୍ବାଚନୀ ପ୍ରଚାର ପାଇଁ ପିପିଲି ଆସୁଛନ୍ତି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।