ଜୁନ ପହିଲାରେ ଘୋଷଣା ହେବ ସିବିଏସଇ ଦ୍ୱାଦଶ ପରୀକ୍ଷା ତାରିଖ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ୍ ପ୍ରକୋପକୁ ଦେଖି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ କରାଯାଇଥିଲା। ପରୀକ୍ଷା ହେବ କି ନାହିଁ ଛାତ୍ରଛାତ୍ରୀ ଅପେକ୍ଷା କରିଥିଲେ। ଅନ୍ୟପଟେ ଏହାକୁ ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ବଡ଼ ବଡ଼ ମନ୍ତ୍ରୀଙ୍କ ଗହଣରେ ବୈଠକ ଅନୁଷ୍ଠିତ ହୋଇଛି। ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକରେ ଅନେକ ରାଜ୍ୟ ଦ୍ୱାଦଶ ପରୀକ୍ଷାକୁ ନେଇ ନିଜ ନିଜର ମତ ରଖିଛନ୍ତି । ଆଜିର ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିବା ବେଳେ ରମେଶ ପୋଖରିଆଲ ନିଶଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ ।
ମିଳିଥିବା ସୂଚନା ଅନୁସାରେ ସିବିଏସଇ ପକ୍ଷରୁ ପରୀକ୍ଷା ତାରିଖ ଜୁନ ପହିଲାରେ ଘୋଷଣା ହେବ। ଏହି ବୈଠକ ଦ୍ୱାଦଶ ପରୀକ୍ଷା ଏବଂ ପ୍ରବେଶିକା ପରୀକ୍ଷାକୁ ନେଇ ଆୟୋଜନ ହୋଇଥିଲା। ଏଥିରେ କେନ୍ଦ୍ର ସରକାର ଦୁଇଟି ପ୍ରସ୍ତାବ ରଖିଥିବା ବେଳେ ସିବିଏସଇ ଦ୍ୱାଦଶ ପରୀକ୍ଷା ପାଇଁ ଦୁଇଟି ବିକଳ୍ପ ପ୍ରସ୍ତାବ ମଧ୍ୟ ରଖିଛି। ଏହା ସହ ରାଜ୍ୟ ବୋର୍ଡ ପରୀକ୍ଷାକୁ ନେଇ ନିଜେ ନିଷ୍ପତ୍ତି ନେଇପାରିବେ ବୋଲି ବୈଠକରେ ସ୍ଥିର ହୋଇଛି। ସୂଚନା ଯେ, ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ। ପରୀକ୍ଷା ଆୟୋଜନ କେଉଁ ଫର୍ମାଟରେ କେବେ ଓ କେମିତି ହେବ ଏନେଇ ଜୁନ ୧ରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେବେ। ଏହା ସହ ସବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ତାରିଖ ଘୋଷଣା କରାଯିବ।