ମାଲ୍ୟାଙ୍କ ବିଭିନ୍ନ ସମ୍ପତି ନିଲାମ କରି ୯୬୭ ମିଲିୟନ ଡଲାର ଆଦାୟ କଲେ ବ୍ୟାଙ୍କ୍
![](https://thetruths.in/wp-content/uploads/2021/06/Vijay-Malya-1024x768.jpg)
- ‘କିଙ୍ଗ୍ ଅଫ୍ ଗୁଡ୍ ଟାଇମ୍ସ’ଙ୍କ ବିରୋଧରେ ୯୦୦୦ କୋଟି ଟଙ୍କାର ରହିଥିଲା ଋଣ ବକେୟା
ନୂଆଦିଲ୍ଲୀ : ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ ବଢିଲା ଅଡୁଆ । ଭାରତୀୟ ବ୍ୟାଙ୍କମାନେ ମାଲ୍ୟାଙ୍କ ବିଭିନ୍ନ ସମ୍ପତି ନିଲାମ କରି ପ୍ରାୟ ୭୧.୮୨ ବିଲିୟନ ଟଙ୍କା(୭୧୮୨ କୋଟି ଟଙ୍କା) ବା ୯୬୭ ମିଲିୟନ ଡଲାର ଆଦାୟ କରିସାରିଛନ୍ତି । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ ବା ଇଡିରୁ ତଥ୍ୟ ମିଳିଛି । ଇଡି ବିଜୟ ମାଲ୍ୟାଙ୍କ ବିଭିନ୍ନ ସମ୍ପତ୍ତି ଜବତ କରିଛି । ଠକାମିର ଶିକାର ଅନେକ ବ୍ୟାଙ୍କ ଅଭିଯୋଗ କରିବା ପରେ ଇଡି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଗତ ବୁଧବାର ୟୁନାଇଟେଡ୍ ବ୍ରିଓ୍ୱେରିଜରେ ଥିବା ମାଲ୍ୟାଙ୍କ ୫୮.୨୫ ବିଲିୟନ(୫୮୨୫ କୋଟି ) ଟଙ୍କାର ସମ୍ପତ୍ତି ବିକ୍ରି କରାଯାଇଥିଲା । ସେହିପରି ୨୦୧୯ରେ ମଧ୍ୟ ୧୩.୫୭ ବିଲିୟନ ବା(୧୩୫୭ କୋଟି) ଟଙ୍କା ଆଦାୟ କରାଯାଇଥିଲା । ଆଉ ବଳକା ଥିବା ୮ ବିଲିୟନ(୮୦୦ କୋଟି) ଟଙ୍କାର ସେୟାର ୨ ଦିନ ମଧ୍ୟରେ ବିକ୍ରି କରାଯିବ ।
ସୂଚନା ଯେ, ବିଜୟ ମାଲ୍ୟା ଏପ୍ରିଲ ୨୦୧୭ରେ ଲଣ୍ଡନରେ ଗିରଫ ହୋଇଥିଲେ । ତାଙ୍କ ବିରୋଧରେ ୧୭ଟି ବ୍ୟାଙ୍କ ଠକାମିର ଅଭିଯୋଗ ଆଣିଥିଲେ । ମାଲ୍ୟାଙ୍କ ବିରୋଧରେ ୯୧ ବିଲିୟନ ଟଙ୍କାର ୯୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା । ଏପରିକି ସେ ଲୋନ୍ ନେଇ ନସୁଝି ଦେଶ ଛାଡି ଫେରାର ହୋଇଯାଇଥିଲେ । ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଲ୍ୟାଙ୍କ ଅନେକ ସମ୍ପତ୍ତି ଜବତ କରିଥିଲା । କେବଳ ମାଲ୍ୟା ନୁହେଁ ଆଉ ୨ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ଓ ମେହୁଲ ଚୋକସୀଙ୍କ ସମ୍ପତ୍ତି ମଧ୍ୟ ଇଡି ଜବତ କରିଥିଲା । ଇଡି ଏହି ୩ ପଳାତକଙ୍କ ଠାରୁ ପ୍ରାୟ ୧୮୧.୭ ବିଲିୟନ ବା ୧୮,୧୭୦.୦୨ କୋଟି ଟଙ୍କା ଆଦାୟ କରିସାରିଛି । ଯାହା ମୋଟ୍ କ୍ଷତିର ୮୦ ପ୍ରତିଶତ ଅଟେ ।