ବିକାଶ ଦୁବେ ଏନକାଉଣ୍ଟର ମାମଲାରେ ଉତ୍ତର ପ୍ରଦେଶ ପୋଲିସକୁ ସୁପ୍ରିମକୋର୍ଟଙ୍କ କ୍ଲିନ ଚିଟ୍
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ପୋଲିସକୁ ଆଶ୍ୱସ୍ତି । ବହୁଚର୍ଚ୍ଚିତ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଏନକାଉଣ୍ଟର ମାମଲାରେ ପ୍ରମାଣ ଅଭାବରୁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ପୋଲିସକୁ ମିଳିଲା କ୍ଲିନ ଚିଟ୍। ଏହି ମାମଲାର ତଦନ୍ତ ପାଇଁ ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଅବସରପ୍ରାପ୍ତ ବିଚାରପତି ବିଏସ ଚୌହାନଙ୍କ ନେତୃତ୍ଵରେ ଗଠିତ ଉଚ୍ଚସ୍ତରୀୟ କମିଟି ଉତ୍ତର ପ୍ରଦେଶ ପୋଲିସକୁ କ୍ଲିନ ଚିଟ୍ ପ୍ରଦାନ କରିଛନ୍ତି । ବିକାଶ ଦୁବେ ଏନକାଉଣ୍ଟର ପରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ଅନେକ ପୋଲିସ କର୍ମଚାରୀଙ୍କୁ ପଚରା ଉଚୁରା କରିଥିଲେ । ହେଲେ କମିଟିକୁ ପୋଲିସ କର୍ମଚାରୀଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିଲା । ଏହି କାରଣରୁ କମିଟି ଉତ୍ତର ପ୍ରଦେଶ ପୁଲିସକୁ ବିକାଶ ଦୁବେ ଏନକାଉଣ୍ଟର ମାମଲାରେ କ୍ଲିନ ଚିଟ୍ ପ୍ରଦାନ କରିଛନ୍ତି।
ସୂଚନା ଯେ, ୨୦୨୦ ଜୁଲାଇ ୨ରେ କାନପୁରର ବିକରୁ ଗାଁରେ ବିକାଶ ଦୁବେର ଲୋକେ ୮ ପୋଲିସ କର୍ମଚାରୀଙ୍କ ହତ୍ୟା କରିଥିଲେ। ଏହି ଅମାନୁଷିକ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ପୁଲିସ ଗୋଟିଏ ସପ୍ତାହ ପରେ ମଧ୍ୟ ପ୍ରଦେଶର ଉଜ୍ଜୈନରୁ ଗିରଫ କରିଥିଲେ । ହେଲେ ସଡକ ପଥ ଦେଇ ଦୁବେକୁ ଉତ୍ତର ପ୍ରଦେଶ ଆଣୁଥିବା ବେଳେ କାନପୁର ନିକଟରେ କାର ଓଲଟି ଯାଇଥିଲା। ଏହାର ଫାଇଦା ଉଠାଇ ବିକାଶ ଫେରାର ମାରିବାକୁ ଚେଷ୍ଟା କରିଥିଲା। ଏଥିରେ ପୁଲିସ ଏନକାଉଣ୍ଟରରେ ବିକାଶ ଦୁବେର ମୃତ୍ୟୁ ଘଟିଥିଲା।