ବାଲେଶ୍ୱର : ବିପୁଳ ବ୍ରାଉନ୍ସୁଗାର ଓ ୩ ଅଭିଯୁକ୍ତଙ୍କୁ ଉଠାଇଲା ଏସ୍ଟିଏଫ୍

ବାଲେଶ୍ୱର : ବାଲେଶ୍ଵର ଜିଲା ବସ୍ତା ଏବଂ ଜଳେଶ୍ଵର ଥାନା ଅଞ୍ଚଳରୁ ଏସଟିଏଫ ଦ୍ବାରା ଚାଲନ୍ତି ଏବଂ ଗୁଡିଖାଳରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ଅଟୋ ଏବଂ ନଗଦ ଟଙ୍କା ଜବତ ହୋଇଛି ।
ଜଳେଶ୍ୱର ଓ ଏହାର ଆଖାପାଖ ସହରରେ ବ୍ୟାପକ ବ୍ରାଉନ୍ସୁଗର କାରବାର ଚାଲିଥିବା ବେଳେ ବୁଧବାର ଏସ୍ଟିଏଫ ବିପୁଳ ଧଳାଜହର, ୨ଟି ଟେମ୍ପୋ, ୩ ଅଭିଯୁକ୍ତଙ୍କୁ ୬୦ନଂ. ଜାତୀୟ ରାଜପଥ ଚାଲନ୍ତି ନିକଟରୁ ଉଠାଇ ନେଇଛି । ଏକ ଗୁପ୍ତ ତଥ୍ୟକୁ ଆଧାର କରି ଏସ୍ଟିଏଫ ଗତ ମଙ୍ଗଳବାର ଜଳେଶ୍ୱର ଅଞ୍ଚଳରେ ଡେରା ପକାଇଥିଲା । ବୁଧବାର ସକାଳେ ୬୦ନଂ. ଜାତୀୟ ରାଜପଥର ଚାଲନ୍ତି ଠାରେ ଜଣେ ଯୁବକ ଠାରୁ ବିପୁଳ ଧଳା ଜହର ଜବତ କରିବା ସହିତ ନଗଦ ଟଙ୍କା ଓ ମୋବାଇଲ୍ ଫୋନ ଜବତ୍ କରାଯାଇଥିଲା । ତା’ ଠାରୁ ସୂଚନା ପାଇ ୬୦ନଂ. ଜାତୀୟ ରାଜପଥର ଗୁଡ଼ିଖାଳ ଠାରେ ୨ଟି ଟେମ୍ପୋରେ ୨ଜଣ ଧଳା ଜହର ବେପାରୀ ଆସୁଥିବା ଜାଣି ସେମାନଙ୍କୁ ମଧ୍ୟ ଏହି ଟିମ୍ ଗିରଫ କରିବାରେ ସକ୍ଷମ ହୋଇଛି । ଜବତ ହୋଇଥିବା ଟେମ୍ପୋ ୨ଟି ଅମର୍ଦ୍ଦାରୋଡ଼ ସ୍ଥିତ ପୋଲିସ୍ ଫାଣ୍ଡିରେ ରଖାଯାଇଥିବା ବେଳେ ବ୍ରାଉନ୍ସୁଗର ପ୍ୟାକେଟ, ମୋବାଇଲ, ନଗଦ ଟଙ୍କା ଓ ୩ ଅଭିଯୁକ୍ତଙ୍କୁ ଧରି ଏସ୍ଟିଏଫ ଟିମ୍ ଫେରିଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ଗତ ମଙ୍ଗଳବାର ସନ୍ଧ୍ୟାରେ ଜଳେଶ୍ୱରରୁ ୫୦ ଗ୍ରାମ ଓ ଜଣେ ଯୁବକକୁ ପୋଲିସ୍ ଗିରଫ କରିବାର ୨୦ ଘଣ୍ଟା ନ ପୁରୁଣୁ ଏସ୍ଟିଏଫ୍ ଟିମ୍କୁ ଏହି ସଫଳତା ମିଳିଛି ।