ବାଲେଶ୍ୱର : ଦରବୃଦ୍ଧିର ପ୍ରତିବାଦରେ ପଥପ୍ରାନ୍ତ ସଭା
ବାଲେଶ୍ୱର : ଆସନ୍ତାକାଲି ଗୁରୁବାର ସକାଳ ଛଅରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଛଅଘଣ୍ଟିଆ ଓଡ଼ିଶା ବନ୍ଦକୁ ବାଲେଶ୍ୱରରେ ସଫଳ କରିବା ପାଇଁ ବୁଧବାର ଦିନ ପୂର୍ବାହ୍ନରେ ବାମପନ୍ଥୀ ଦଳମାନଙ୍କ ତରଫରୁ ମାଇକ୍ ପ୍ରଚାର ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଚାରଗଞ୍ଜ ଛକ ନିକଟରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଶ୍ରମିକନେତା ନିକୁଞ୍ଜ ବସନ୍ତରାୟ ଅଧ୍ୟକ୍ଷତା କରିଥିଲେ । ପେଟ୍ରୋଲ୍, ଡିଜେଲ୍ ଓ ଜାଳେଣି ଗ୍ୟାସ୍ର ଆକାଶ ଛୁଆଁ ଦରବୃଦ୍ଧି ସହ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧିକୁ ପଥପ୍ରାନ୍ତ ସଭାରେ ବକ୍ତାମାନେ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । କରୋନା ମହାମାରୀ ସମୟରେ ବହୁଲୋକ ରୋଜଗାର ହରାଇଥିବାବେଳେ ସମସ୍ତ ପରିବାରର ଆୟହ୍ରାସ ପାଇଛି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବୃଦ୍ଧି କରି ତୈଳଦର ବଢ଼ାଉଛନ୍ତି ।
ଫଳରେ ପରିବହନ ଖର୍ଚ୍ଚ ବଢ଼ିଯିବାରୁ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ, ଖାଉଟି ସାମଗ୍ରୀ ଉପରେ ଏହାର ପ୍ରଭାବ ପଡ଼ୁଛି । ୧୯୫୫ ମସିହାରେ ପ୍ରଣୀତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ଉଚ୍ଛେଦ, କେନ୍ଦ୍ରସରକାରଙ୍କର ଏକ ଅପରିଣାମଦର୍ଶୀ ନିଷ୍ପତ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ । କରୋନା ଭୂତାଣୁ ସଂକ୍ରମଣର ଆଶଙ୍କାରେ ଓ ସରକାରୀ ନିର୍ଦ୍ଦେଶ ତଥା କଟକଣାଯୋଗୁଁ ଜନସାଧାରଣଙ୍କ ପ୍ରତିବାଦ କରିବାର ଅଧିକାର ହ୍ରାସ ପାଇଥିବାବେଳେ ଏହା କେନ୍ଦ୍ର ସରକାରଙ୍କୁ କଳା ଓ ଜନ ବିରୋଧି ଆଇନ ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରାଇବାରେ ସହାୟକ ହୋଇଛି । ତେଣୁ ଏହା ବିରୁଦ୍ଧରେ ମିଳିତ ପ୍ରତିବାଦ ସ୍ୱରୂପ ଗୁରୁବାର ଦିନ ଛଅଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନକୁ ବାଲେଶ୍ୱର ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ପଥପ୍ରାନ୍ତ ସଭାରେ ସମସ୍ତ ବର୍ଗର ଜନଗଣଙ୍କୁ ବକ୍ତାମନେ ଆହ୍ୱାନ ଦେଇଛନ୍ତି । ଏହି ବନ୍ଦ ଏବଂ ଦାବିକୁ କଂଗ୍ରେସ୍ ଦଳ ଓ ଅନ୍ୟାନ୍ୟ ଗଣସଂଗଠନମାନ ସମର୍ଥନ କରୁଥିବାର ସେମାନେ ପ୍ରକାଶ କରିଥିଲେ । ଏହି ସଭାରେ ସିପିଆଇ, ସିପିଆଇ(ଏମ୍) ଓ ଫରୱାର୍ଡ଼ ବ୍ଲକ୍ ତରଫରୁ ସର୍ବଶ୍ରୀ ନିର୍ମଳ ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ସର୍ବେଶ୍ୱର ମିଶ୍ର, ବନ୍ଦନା ବିଶ୍ୱାସ, ରାଜକିଶୋର ଲେଙ୍କା, ଅସିତ୍ ବରଣ ଦାସ, ଜତିନ୍ ପାତ୍ର, ବିଜୟ ପାତ୍ର ଓ ସୁଶାନ୍ତ ନାୟକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ସାଇକିଙ୍କର ଦାସ ଧନ୍ୟବାଦ ଦେଇଥିଲେ ।