ସମ୍ବାବ୍ୟ ବାତ୍ୟା ନେଇ ମିଥ୍ୟା ସମ୍ବାଦ ତଥା ଆକଳନ ଉପରେ ଧ୍ୟାନ ନଦେବାକୁ ପରାମର୍ଶ ଦେଲେ ସ୍ୱତନ୍ତ୍ର ରିଲିଫ୍ କମିଶନର
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି । ଏହି ସମ୍ଭାବନାକୁ ଭିତିକରି ପ୍ରାକ୍ ଆକଳନ ସ୍ୱରୂପ ସମସ୍ତ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବାକୁ ଏବଂ ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରି ଆସିବାକୁ କୁହାଯାଇଛି ଏବଂ ଏ ସମୟରେ ଆଉ କେହି ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି । ଉପକୂଳବର୍ତୀ ଅଂଚଳରେ ମାଇକ୍ ମାଧ୍ୟମରେ ପ୍ରଚାର କରାଯାଇ ଏ ବିଷୟରେ ଜଣାଇ ଦିଆଯିବ ବୋଲି ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ବୁଧବାର ଦିନ ଶ୍ରୀ ଜେନା ଏ ସଂପର୍କରେ ଓଡ଼ିଶା ପୋଲିସ, ଏନ୍ଡିଆରଏଫ୍, ଅଗ୍ନିଶମ ସେବା, ଓଡ୍ରାଫ, ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ, ଭାରତୀୟ ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ଶାଖାର ନିର୍ଦ୍ଦେଶକ ଏବଂ ଓସ୍ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ସହ ଭର୍ଚୁଆଲ ବୈଠକରେ ଆଲୋଚନା କରିଛନ୍ତି । ଶ୍ରୀ ଜେନା ପୁନଶ୍ଚ କହିଛନ୍ତି ଯେ ଲଘୁଚାପର ତୀବ୍ରତା, ବେଗ, ରୂପ ବାବଦରେ ଏ ପର୍ଯ୍ୟନ୍ତ ସଠିକ୍ ଆକଳନ କରାଯାଇ ନାହିଁ ଏବଂ ଏହା କେଉଁଠାରେ ସ୍ଥଳଭାଗ ସ୍ପର୍ଶ କରିବ ଜଣାପଡ଼ିନାହିଁ । ଏଣୁ କୌଣସି ପ୍ରକାର ମିଥ୍ୟା ସମ୍ବାଦ ତଥା ଆକଳନ ଉପରେ ଧ୍ୟାନ ନଦେବାକୁ ସେ ସତର୍କ କରାଇ ଦେଇଛନ୍ତି । ରାଜ୍ୟ ସରକାର ଏହି ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପୂର୍ବପ୍ରସ୍ତୁତି କରିବା ନିମନ୍ତେ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ପାଶ୍ୱର୍ବର୍ତୀ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୭୨ ଘଂଟା ମଧ୍ୟରେ ୨୫ ତାରିଖ ସୁଦ୍ଧା ସାମୁଦ୍ରିକ ବାତ୍ୟାର ରୂପ ନେବାର ପୂର୍ବାନୁମାନ କରାଯାଇଛି । ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେଲେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ।