ଡ୍ରାଇଭ୍ ଇନ୍ ଟିକାକରଣ ବନ୍ଦ
ଭୁବନେଶ୍ୱର : ଡ୍ରାଇଭ୍ ଇନ୍ ଏବଂ ଘରେ ଟିକାକରଣକୁ ବନ୍ଦ କରିଛନ୍ତି ସରକାର । ବୁଧବାର ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଓ ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ କୋଭିଡ୍ ଗାଇଡଲାଇନରେ ଏପରି ବ୍ୟବସ୍ଥା ନାହିଁ । ଯଥେଷ୍ଟ ୱେଟିଂ ଏରିଆ, ପର୍ଯ୍ୟବେକ୍ଷଣ ଗୃହ ଥିବା ଜାଗାରେ ଟିକା ଦେବା ନିୟମ ରହିଛି । ଟିକା ନେବା ପରେ ଗ୍ରହୀତାଙ୍କୁ ୩୦ ମିନିଟ ଅବଜରଭେସନ ନିୟମ ଅଛି । ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପ୍ରେ ଏସବୁ ପାଳନ ହେବା କଷ୍ଟକର । ଏସବୁ ଦ୍ୱାରା ଅଧିକ ମାତ୍ରାରେ ଟିକା ଅପଚୟ ହେବା ସମ୍ଭାବନା ରହିଛି । ତେଣୁ ଏସବୁ ବ୍ୟବସ୍ଥା ବନ୍ଦ କରିବାକୁ କୁହାଯାଇଛି ।
ସୂଚନା ଯେ, କିଛି ଦିନ ପୂର୍ବେ ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଡ୍ରାଇଭ୍ ଇନ୍ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା । ରାଜଧାନୀର ୪ଟି ମଲ୍ ଏସ୍ପ୍ଲାନେଡ୍, ଡିଏନ୍ ରେଗାଲିଆ, ଗ୍ୟାଲରିଆ, ସିମ୍ଫୋନି ମଲ୍ ସମେତ କିଟ୍ ଷ୍ଟାଡିୟମରେ ଡ୍ରାଇଭ୍ ଇନ୍ ଟିକା ଅଭିଯାନ ଚାଲିଥିଲା । ଭିଡ଼ରେ ଛିଡ଼ା ନହୋଇ, ଧାଡ଼ି ନବାନ୍ଧି, ଗାଡ଼ିରୁ ନଓହ୍ଲାଇ ଟିକା ନେଇଥିଲେ ଲୋକେ ।