ବାସହୀନ ଲୋକଙ୍କୁ ଏଲଇଡି ଟିଭି ସଦୃଶ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ : କଂଗ୍ରେସ

ବାଲେଶ୍ୱର : ଓଡ଼ିଶା ସରକାର ପଞ୍ଚାୟତ ନିର୍ବାଚନରେ ଜିତିବା ପାଇଁ କାଳିଆ ଯୋଜନା ଭଳି ଏବେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଆଳରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରୁଛନ୍ତି । ଶନିବାର ଜିଲା କଂଗ୍ରେସ କମିଟି ସଭାପତି ସଂଜୀବ ଗିରି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି । ଶ୍ରୀ ଗିରି କହିଥିଲେ କି ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ସରକାରୀ ଅର୍ଥ ଖର୍ଚ୍ଚକରି ମୁଖ୍ୟମନ୍ତ୍ରୀ ରାଜ୍ୟସାରା ବୁଲି ବୁଲି ଏଭଳି ହେଲ୍ଥ କାର୍ଡ ବାଣ୍ଟୁଛନ୍ତି । ତେବେ ପକ୍କାଘର ପୁର୍ଣ୍ଣାଙ୍ଗ ହୋଇନଥିଲା ବେଳେ ସେଥିରେ ରଙ୍ଗ ଦେବା ଯେଭଳି ଅସମିଚିନ, ସେହିପରି ଜିଲାରେ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ସୁଦୃଢ଼ ନକରି ଲୋକଙ୍କୁ ହେଲ୍ଥ କାର୍ଡ ବାଣ୍ଟିବା ସମାନ ଅବସ୍ଥା ସୃଷ୍ଟି କରିଛି ।
ଜିଲାରେ ୩୭୩ ମଞ୍ଜୁରୀ ପ୍ରାପ୍ତ ଡାକ୍ତରୀ ପୋଷ୍ଟ ଥିବା ବେଳେ ୧୫୯ଟି ପଦବୀ ଖାଲି ରହିଛି । କୌଣସି ସି.ଏଚ୍.ସି., ପିଏଚ୍.ସିରେ ସ୍ପେଷାଲିଷ୍ଟା ଡାକ୍ତର ନାହାଁନ୍ତି । ସେହିପରି ଆଇ.ସି.ୟୁ ହସ୍ପିଟାଲରେ ୧୩ଟି ଶଯ୍ୟା ରହିବା ନିୟମ ଥିବା ବେଳେ ୮ଟି ଶଯ୍ୟା ରହିଛି । ୪ଟି ଶଯ୍ୟାରେ ରୋଗିଙ୍କୁ ରଖି ଅନ୍ୟ ରୋଗୀଙ୍କୁ ବଡ ଡାକ୍ତରଖାନାକୁ ରେଫର କରାଯାଉଛି । କର୍କଟ, ବୃକକ୍, ହୃଦ୍ ରୋଗ ଏବଂ ନିରୋଲୋଜିର ଚିକିତ୍ସା ପାଇଁ ଫକୀରମୋହନ ମେଡିକାଲ କଲେଜରେ କୌଣସି ସୁବିଧା ନଥିଲାବେଳେ ଏଭଳି ହେଲ୍ଥ୍ କାର୍ଡ ରୋଗୀମାନଙ୍କର କେଉଁ କାମକୁ ଆସିବ ବୋଲି ଶ୍ରୀ ଗିରି ପାଲଟାପ୍ରଶ୍ନ କରିଛନ୍ତି । ଏହା ବ୍ୟତିତ ଗତ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ସମୟରେ ସହରରେ ପ୍ରଶାସନ ଅଘୋଷିତ କଫ୍ୟୁ ଜାରି କରି ଯେଭଳି ସାଧାରଣ ଲୋକ ଓ ପରୀକ୍ଷାର୍ଥୀମାନଙ୍କୁ ପୋଲିସ୍ ସାମ୍ନାରେ ହଇରାଣ ହରକତ କଲେ ତାହା ଅତ୍ୟାନ୍ତ ଦୁଃଖ ଦାୟକ । ଏପରିକି ଜଣେ ବିଧାୟକ ଓ ୨ ଜଣ ମନ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ବିଧାୟକ ମାନଙ୍କୁ ମଞ୍ଚକୁ ଛଡାଗଲା ନାହିଁ । ଏପରିକି ସାମ୍ବାଦିକ ମାନଙ୍କୁ ସଭାମଞ୍ଚ ନିକଟକୁ ଯିବାକୁ ଅନୁମତି ମିଳିଲା ନାହିଁ । ଅନେକ ଦଳୀୟ କର୍ମକର୍ତ୍ତା ମଧ୍ୟ ସଭାସ୍ଥଳକୁ ଯିବାପାଇଁ ପାଶ୍ ପାଇଲେ ନାହିଁ । ଗଣତନ୍ତ୍ରରେ ଏହା ଖରାପ ପରମ୍ପରା ସୃଷ୍ଟି କରୁଛି । ମନ୍ତ୍ରୀ ପରିବର୍ତ୍ତେ ଅଫିସରଙ୍କ ରାଜ୍ ଓଡ଼ିଶାରେ ଚାଲୁଛି ବୋଲି ଶ୍ରୀ ଗିରି କହିଥିଲେ । ସାଧାରଣ ଜନତା ଏକଥା ବୁଝିବା ସହ ଆଗାମୀ ଦିନରେ ଘରୋଇ ହସ୍ପିଟାଲ ଗୁଡିକ୍ ସ୍ମାର୍ଟ ହେଲେ୍ଥ କାର୍ଡକୁ ଗ୍ରହଣ କରିବେ ନାହିଁ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପି.ସି.ସି. ସମ୍ପାଦକ ଅର୍ଚ୍ଚନା ନନ୍ଦୀ, ଜିଲା ଉପସଭାପତି ଗୋପୀନାଥ ପାଢ଼ୀ, ଜିଲା ମହିଳା କଂଗ୍ରେସ ଅଧ୍ୟକ୍ଷା ପ୍ରଜ୍ଞାପାରମିତା ମହନ୍ତି, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ ଏବଂ ଜିଲା ସମ୍ପାଦକ ଶ୍ରୀ ପଶୁପତି ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।