ସିଙ୍ଗାପୁର ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ବାତିଲ
ହାଇଦ୍ରାବାଦ : ଦେଶର ଦୁଇ ଅଗ୍ରଣୀ ସିଙ୍ଗଲ୍ସ ବ୍ୟାଡ଼ମିଣ୍ଟନ ଖେଳାଳି ତଥା ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ସାଇନା ନେହୱାଲ ଓ କାଦମ୍ବୀ ଶ୍ରୀକାନ୍ତଙ୍କ ଟୋକିଓ ଅଲିମ୍ପିକ୍ସ ଖେଳିବାର ସ୍ବପ୍ନ ଭାଙ୍ଗି ଯାଇଛି। କୋଭିଡ଼ ମହାମାରୀ ସତ୍ତ୍ୱେ ଚଳିତ ବର୍ଷ ଜୁଲାଇ -ଅଗଷ୍ଟରେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ହେବାକୁ ଯାଉଛି। ଉକ୍ତ ଟୁର୍ଣ୍ଣାମେଣ୍ଟ ଲାଗି ଶେଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ରହିଥିବା ସିଙ୍ଗାପୁର ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ବାତିଲ କରିଦିଆଯାଇଛି। ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ସିଙ୍ଗାପୁର ଓପନ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଉ ଆୟୋଜିତ ହୋଇପାରିବ ନାହିଁ। ଫଳରେ ଭାରତର ଦୁଇ ବ୍ୟାଡ଼ମିଣ୍ଟନ ତାରକା ସାଇନା ଓ କାଦମ୍ବୀ ଆଉ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିପାରିବେ ନାହିଁ। ୨୦୦୮ ବେଜିଂ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ ସାଇନା ଅଲିମ୍ପିକ୍ସରେ ଭାଗ ନେବାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ମାଲେସିଆ ଓପନ ବାତିଲ ପରେ ସାଇନା ଓ ଶ୍ରୀକାନ୍ତଙ୍କ ଶେଷ ଆଶା ଥିଲା ସିଙ୍ଗାପୁର ଓପନ। ଉକ୍ତ ପ୍ରତିଯୋଗିତାକୁ କୋଭିଡ଼ ମହାମାରୀ ପାଇଁ ଶେଷରେ ବାତିଲ କରିଦିଆଯାଇଛି।
ସିଙ୍ଗାପୁର ଓପନ ଜୁନ୍ ୧୬ରୁ ଆୟୋଜିତ ହେବାର ଥିଲା। କରୋନା ମହାମାରୀ ପାଇଁ ଉକ୍ତ ପ୍ରତିଯୋଗିତା ଏବେ ଆୟୋଜନ ହେବା ଅସମ୍ଭବ ହୋଇପଡ଼ିଛି। ଏ ନେଇ ବିଶ୍ବ ବ୍ୟାଡ଼ମିଣ୍ଟନ ମହାସଂଘ ଓ ସିଙ୍ଗାପୁର ବ୍ୟାଡ଼ମିଣ୍ଟନ ଆସୋସିଏସନ ସହିତ ଆଲୋଚନା କରାଯାଇ ପ୍ରତିଯୋଗିତାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଶ୍ବ ବ୍ୟାଡ଼ମିଣ୍ଟନ ମହାସଂଘ ପକ୍ଷରୁ କୁହାଯାଇଛି। ଆୟୋଜକ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ସୁରକ୍ଷିତ ଭାବେ ଆୟୋଜନ କରିବା ନେଇ ସମସ୍ତ ପ୍ରକାର ପ୍ରଚେଷ୍ଟା କରିଥିଲା। କିନ୍ତୁ ବିଶ୍ବରେ କରୋନା ମହାମାରୀ ଯେଉଁଭଳି ଭାବେ ଉଗ୍ର ରୂପ ନେଉଛି ତାହାକୁ ଦେଖି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ଅସମ୍ଭବ ହୋଇପଡ଼ିଛି ବୋଲି ସିଙ୍ଗାପୁର ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଦୁଇ ଖେଳାଳିଙ୍କ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିବ ବୋଲି ସ୍ପଷ୍ଟ କରିଛି ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ। ଏହାକୁ ଦୃଷ୍ଟିରେ ରଖି ସାଇନା ଓ ଶ୍ରୀକାନ୍ତ ଟୋକିଓ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ ପାଇଁ କ୍ଷୀଣ ଆଶା ଥିବା କୁହାଯାଉଛି।