ଆଇପିଏଲ୍ ଖେଳିବେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର!

ନୂଆଦିଲ୍ଲୀ : ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର ଆଗାମୀ ସମୟରେ ଆଇପିଏଲ୍ରେ ନଜର ଆସିପାରନ୍ତି। ସେ ୨୮ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ। କିନ୍ତୁ ବିଶ୍ଵର ଏହି ବିତ୍ତଶାଳୀ ଓ ଧନାଢ୍ୟ ଟି-୨୦ରେ ପାକିସ୍ତାନ ଖେଳାଳିଙ୍କୁ ଖେଳିବାର ଅନୁମତି ନାହିଁ। ମାତ୍ର ବର୍ତ୍ତମାନ ସମୟରେ ଆମିର ଇଂଲଣ୍ଡରେ ରହୁଛନ୍ତି। ସେ ସେଠାକାର ନାଗରିକତା ହାସଲ ପାଇଁ ଚେଷ୍ଟା ଚଳାଇଛନ୍ତି। ଯଦି ତାଙ୍କୁ ଇଂଲଣ୍ଡର ନାଗରିକତା ମିଳିଯାଏ ତେବେ ସେ ଆଇପିଏଲ୍ରେ ଖେଳି ପାରିବେ। ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ ଖେଳାଳି ଅଜହର ମେହମୁଦ ଇଂଲଣ୍ଡର ନାଗରିକତା ନେବା ପେ ଆଇପିଏଲ୍ ଖେଳି ସାରିଛନ୍ତି।
ମହମ୍ମଦ ଆମିର କହିଛନ୍ତି, ମୁଁ ଦୀର୍ଘ ସମୟ ଧରି ଇଂଲଣ୍ଡରେ ରହିବାକୁ ଯାଉଛି। ମୁଁ ଏଠାକାର କ୍ରିକେଟ୍ର ମଜା ଉଠାଉଛି। ଆଗାମୀ ୬-୭ ବର୍ଷ ଆହୁରି ଖେଳିବାକୁ ଚାହୁଁଛି। ସେ କହିଛନ୍ତି ମୋର ପିଲାମାନେ ଇଂଲଣ୍ଡରେ ହିଁ ବଡ ହେବେ ଏବଂ ଏଠାରେ ହିଁ ପାଠ ପଢିବେ। ତେଣୁ ଏଠାରେ ମୁଁ ଦୀର୍ଘ ସମୟ ଧରି ରହିବାର କୌଣସି ସନ୍ଦେହ ନାହିଁ। ଆମିର ୨୦୨୦ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରୁ ଅବସର ନେଇଥିଲେ। ଏଥିପାଇଁ ସେ ମିସବା ଲ ହକ୍ ଓ ଓ୍ଵାକର ୟୁନୁସ୍ଙ୍କୁ ଦୋଷ ଦେଇଥିଲେ। ଆଇପିଏଲ ଖେଳିବା ପ୍ରଶ୍ନରେ ସେ କହିଛନ୍ତି, ଏବେ ମୁଁ ଭବିଷ୍ୟତର ଯୋଜନା ବିଷୟରେ ଚିନ୍ତା କରି ନାହିଁ। କିନ୍ତୁ ଏଠାକାର ନାଗରିକତା ମିଳିବା ପରେ ବହୁତ କିଛି ପରିବର୍ତ୍ତନ ଘଟିବ। ଏହା ପରେ ଯାଇ ସେ ଆଇପିଏଲ୍ ଖେଳିବା ବିଷୟରେ ଚିନ୍ତା କରିବେ। ୨୦୧୭ ଚମ୍ପିଆନ୍ସ ଟ୍ରଫିର ଫାଇନାଲ୍ରେ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା। ଏହି ମୁକାବିଲାରେ ମହମ୍ମଦ ଆମିର ସ୍ମରଣୀୟ ପ୍ରଦର୍ଶନ କରିଥିଲେ। ସେ ୬ ଓଭରରେ ୧୬ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ଏଥିରେ ରୋହିତ ଶର୍ମା, ବିରାଟ କୋହଲି ଓ ଶିଖର ଧାଓ୍ଵନଙ୍କ ଓ୍ଵିକେଟ୍ ସାମିଲ୍। ଆମିର ପାକିସ୍ତାନ ପକ୍ଷରୁ ୩୬ ଟେଷ୍ଟ, ୬୧ ଦିନିକିଆ ଓ ୫୦ ଟି-୨୦ ମୁକାବିଲା ଖେଳିଛନ୍ତି। ଆମିର ଶେଷ ଥର ୨୦୧୯ରେ ଅନ୍ତର୍ଜାତୀୟ ମୁକାବିଲା ଖେଳିଥିଲେ। ମ୍ୟାଚ୍ ଫିକ୍ସିଂ କାରଣରୁ ତାଙ୍କ ଉପରେ କଟକଣା ଲାଗୁ ହୋଇ ସାରିଛି।