ଭୁଲ ପାଇଁ କ୍ଷମା ମାଗିବା ସହିତ ଟ୍ୱିଟ୍କୁ ଡିଲିଟ୍ କଲେ ଶିଶୀ ଥରୁର

ନୂଆଦିଲ୍ଲୀ: ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମୃତ୍ୟୁ ବରଣ କରିଛନ୍ତି। ଗୁରୁବାର ରାତିରେ ଏଭଳି ଏକ ଟ୍ୱିଟ୍ କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଶିଶୀ ଥରୁର। ଏହାପରେ ଓଡ଼ିଶାର ପୂର୍ବତନ ବିଜେଡି ସାଂସଦ ଦିଲ୍ଲୀପ ତିର୍କୀ ମଧ୍ୟ ସମାନ ଟ୍ୱିଟ୍ କରିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ମଧ୍ୟପ୍ରଦେଶର ବିଜେପି ନେତା କୈଳାଶ ବିଜୟଭର୍ଗିଆ କହିଛନ୍ତି, ସୁମିତ୍ରା ମହାଜନ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି। ବିଜୟ ଭର୍ଗିଆଙ୍କ ଟ୍ୱିଟ୍ ପରେ ଥରୁର ଏଭଳି ଏକ ଟ୍ୱିଟ୍ ପାଇଁ କ୍ଷମା ମାଗିବା ସହିତ ନିଜ ପୂର୍ବ ଟ୍ୱିଟକୁ ଡିଲିଟ୍ କରିଛନ୍ତି। ସେହିପରି ଦିଲ୍ଲୀପ ତିର୍କୀ ମଧ୍ୟ ଟ୍ୱିଟ୍ ଡିଲିଟ୍ କରିଦେଇଛନ୍ତି।
ଥରୁର ରାତି ୧୧ଟା ୧୬ ମିନିଟରେ ଟ୍ୱିଟ୍ କରି କହିଥିଲେ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କର ବିୟୋଗ ହୋଇଛି। ଏହା ଜାଣି ସେ ଦୁଃଖିତ। ତାଙ୍କ ସହିତ ମୋସ୍କୋରେ ଆୟୋଜିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ସାମିଲ୍ ହୋଇଥିଲେ ବୋଲି ଥରୁର କହିଥିଲେ। ତାଙ୍କ ସହ ଅନେକ ସକାରାତ୍ମକ ଆଲୋଚନା ସେତେବେଳେ ହୋଇଥିଲା। ସ୍ୱର୍ଗତ ସୁଷମା ସ୍ୱରାଜ ଏବଂ ସୁମିତ୍ରା ମହାଜାନ ମୋସ୍କୋରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀର ନେତୃତ୍ୱ ନେବା ପାଇଁ କହିଥିଲେ ବୋଲି ଥରୁର ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଥିଲେ।
ସୂଚନା ଯେ, ସୁମିତ୍ରା ମହାଜନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ତାଙ୍କୁ କେବଳ ସାମାନ୍ୟ ଜ୍ୱର ଥିଲା । କେବଳ ଶଶି ଥରୁର ନୁହେଁ, ସୁମିତ୍ରାଙ୍କ ନିଧନ ହୋଇଥିବା ଖବର କଂଗ୍ରେସ ନେତା ଅଳକା ଲାମ୍ବା ମଧ୍ୟ ଟ୍ୱିଟ୍ କରିଥିଲେ । ପରେ ସେ ଏହାକୁ ଡିଲିଟ୍ କରିଥିଲେ ।