ପରଲୋକରେ ପ୍ରିନ୍ସ ଫିଲିପ୍

ଲଣ୍ଡନ : ବ୍ରିଟେନର ମହାରାଣୀ ଦ୍ୱିତୀୟ ଏଲିଜାବେଥ୍ଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବ୍ରିଟେନ ରାଜ ପରିବାର ପକ୍ଷରୁ ଏନେଇ ପ୍ରେସ୍ ବିବୃତ୍ତି ପ୍ରକାଶ ପାଇଛି। ପ୍ରିନ୍ସ ଫିଲିପ୍ ହୃଦ୍ରୋଗ ଓ ସଂକ୍ରମଣରେ ପୀଡ଼ିତ ଥିଲେ। ମହାରାଣୀ ଏଲିଜାବେଥ୍ ବ୍ରିଟେନ୍ ରାଜସିଂହାସନ ଅଳଂକୃତ କରିବାର ୫ ବର୍ଷ ପୂର୍ବରୁ ୧୯୪୭ ମସିହାରେ ପ୍ରିନ୍ସ ଫିଲିପ୍ ରାଜକୁମାରୀ ଏଲିଜାବେଥ୍ଙ୍କୁ ବିବାହ କରିଥିଲେ। ୨୦୧୭ ମସିହାରେ ଫିଲିପ୍ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାରୁ ଅବସର ନେଇଥିଲେ। ଦୀର୍ଘ ୬୫ ବର୍ଷ ଧରି ସେ ମହାରାଣୀଙ୍କୁ ସହଯୋଗ କରିଆସୁଥିଲେ। ସକ୍ରିୟ ଥିବା ସମୟରେ ସେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ପରିବେଶ ସଂକ୍ରାନ୍ତୀୟ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ।
ଦୀର୍ଘ ୭ ଦଶନ୍ଧି ଧରି ପ୍ରିନ୍ସ ଫିଲିପ୍ ବ୍ରିଟିଶ୍ ରାଜ ପରିବାରର ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଥିଲେ। ୧୯୪୭ରେ ରାଜକୁମାରୀ ଏଲିଜାବେଥ୍ଙ୍କୁ ବିବାହ କରିଥିଲେ ପ୍ରିନ୍ସ ଫିଲିପ୍। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବ୍ରିଟିଶ୍ ରାଜତନ୍ତ୍ରର ଆଧୁନିକୀକରଣ ପଛରେ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା। ଅଗାମୀ ୧୦ ଜୁନ୍ରେ ପ୍ରିନ୍ସ ଫିଲିପ୍ଙ୍କ ୧୦୦ତମ ଜନ୍ମଦିନ ପାଳନ ହୋଇଥାନ୍ତା। ସେ ପ୍ରାୟ ମାସେ ହେଲା ଏକ ହସ୍ପିଟାଲରେ ହୃଦ୍ରୋଗ ପାଇଁ ଚିକିତ୍ସାରେ ଥିଲେ। ଏଡିନ୍ବର୍ଗ ଡ୍ୟୁକ୍ ପ୍ରିନ୍ସ ଫିଲିପ୍ଙ୍କ ବିୟୋଗରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି, ପ୍ରିନ୍ସ ଫିଲିପ୍ ଅଗଣିତ ଲୋକଙ୍କ ଜୀବନକୁ ପ୍ରୋତ୍ସାହିତ କରିଥିଲେ ଏବଂ ସମଗ୍ର ବିଶ୍ବରେ ତାଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବ୍ରିଟିଶ୍ ଜନତା ଏବଂ ରାଜ ପରିବାର ସହିତ ମୋର ସମବେଦନା ରହିଛି। ପ୍ରିନ୍ସ ଫିଲିପ୍ ଗୋଷ୍ଠୀ ବ୍ରିଟିସ୍ ସାମରିକ ସେବା କ୍ଷେତ୍ରରେ ବିଶିଷ୍ଟ ଭୂମିକା ନିର୍ବାହ କରିଥିଲେ ଏବଂ ଗୋଷ୍ଠୀ ସେବା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ନେଉଥିଲେ । ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।