ବାଲେଶ୍ୱର : ଅଗ୍ନିଶମ ଆରକ୍ଷୀ ମହାନିରୀକ୍ଷକଙ୍କ ପ୍ରସ୍ତୁତି ସମୀକ୍ଷା
- ବାତ୍ୟ ‘ୟାସ’ର ମୁକାବିଲା ପାଇଁ ଜିଲା ଅଗ୍ନିଶମ ବାହିନୀ ତରଫରୁ ୧୨ଟି ଟିମ୍ ପ୍ରସ୍ତୁତ
ବାଲେଶ୍ୱର : ଅତି ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇ ଆସୁଥିବା ସମ୍ଭାବ୍ୟ ବାତ୍ୟ ‘ୟାସ’ର ମୁକାବିଲା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲାଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ୧୭୫ଗୋଟି ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି । ରବିବାର ଅଗ୍ନିଶମ ଆରକ୍ଷୀ ମହାନିରୀକ୍ଷକ ଅସିତ ପାଣିଗ୍ରାହୀ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଦୁଇଗୋଟି ଜିଲାକୁ ଗସ୍ତ କରି ଅଗ୍ନିଶମ କେନ୍ଦ୍ରଗୁଡ଼ିକର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ ।
ତାଙ୍କର ଏହି ଗସ୍ତ ସମୟରେ ପ୍ରଥମେ ଭଦ୍ରକ ଜିଲା ଗସ୍ତ କରି ଭଦ୍ରକ ଦମକଳ କେନ୍ଦ୍ରରେ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ମୁଖ୍ୟତଃ ପ୍ରଭାବିତ ହେବାକୁ ଥିବା ଭଦ୍ରକ ଜିଲାର ୭ଟି ଅଞ୍ଚଳକୁ ଚିହ୍ନଟ କରାଯାଇଥିଲା । ଭଦ୍ରକ ଜିଲା ଅଗ୍ନିଶମ ବାହିନୀ ତରଫରୁ ୯ଟି ଟିମ୍ ପ୍ରସ୍ତୁତ ହୋଇଥିବା ବେଳେ ଆଉ ୧୧ଟି ଟିମ୍ ଜିଲା ବାହାରୁ ମୁତୟନ କରାଯାଉଛି । ଏହି ଅବସରରେ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।ଏହାପରେ ଶ୍ରୀ ପାଣିଗ୍ରାହୀ ବାଲେଶ୍ୱର ଜିଲା ଗସ୍ତ କରି ସେଠାରେ ପୋଲିସ ଅଧ୍ୟକ୍ଷ ଏବଂ ଜିଲାପାଳଙ୍କ ସହ ସମ୍ଭାବ୍ୟ ବାତ୍ୟା ବିଷୟରେ ଏକ ବୈଠକରେ ଆଲୋଚନା କରିଥିଲେ । ଏହାପରେ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଉପରେ ବାଲେଶ୍ୱର ଦମକଳ କେନ୍ଦ୍ରରେ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ବାଲେଶ୍ୱର ଜିଲା ଅଗ୍ନିଶମ ବାହିନୀ ତରଫରୁ ୧୨ଟି ଟିମ୍ ପ୍ରସ୍ତୁତ ହୋଇ ରହିଥିବା ବେଳେ ଆଉ ୧୮ଟି ଟିମ୍ ଜିଲା ବାହାରୁ ମୁତୟନ କରାଯାଉଛି । ଏହି ଗସ୍ତ ସମୟରେ ଶ୍ରୀ ପାଣିଗ୍ରାହୀ ବ୍ୟବହୃତ ହେବାକୁ ଥିବା ଉଦ୍ଧାରକାରୀ ଯନ୍ତ୍ରାଂଶ ଯଥା ପାୱାର ସ, ପାୱାର ବୋଟ୍, ଲାଇଟ୍ ଆଦି ଗୁଡ଼ିକର କାର୍ଯ୍ୟ କ୍ଷମତା ଏବଂ ଆବଶ୍ୟକ ବେଳେ କିପରି ଶୀଘ୍ର ମରାମତି କରାଯାଇ ପୁନଃ କାର୍ଯ୍ୟକ୍ଷମ କରାଯାଇପାରିବ ଏହା ଉପରେ ସମୀକ୍ଷା କରିଥିଲେ । ଏଥିସହିତ କର୍ମଚାରୀମାନଙ୍କୁ କୋଭିଡ୍ ନିର୍ଦ୍ଦେଶାବଳୀକୁ ଅନୁସରଣ କରି ଉଦ୍ଧାରକାରି ଯନ୍ତ୍ରାଂଶ ସହ ଯେକୌଣସି ପ୍ରକାରର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସଜାଗ ରହିବା ସହ ଜିଲାପ୍ରଶାସନ ସହ ପୂର୍ଣ୍ଣ ସମନ୍ୱୟରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।