ନୂତନ ଗୋପନୀୟତା ନୀତିକୁ ଉଚ୍ଛେଦ କରିବା ପାଇଁ ହ୍ୱାଟ୍ସଆପ୍କୁ ନୋଟିସ୍
![](https://thetruths.in/wp-content/uploads/2021/05/WhatsApp-1-1024x576.jpg)
ନୂଆଦିଲ୍ଲୀ : ଅନଲାଇନ୍ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ତା’ର ନୂତନ ଗୋପନୀୟତା ନୀତିକୁ ଉଚ୍ଛେଦ କରୁ ବୋଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା(ଆଇଟି) ମନ୍ତ୍ରାଳୟ ପକ୍ଷରୁ ହ୍ୱାଟ୍ସଆପ୍କୁ ଏକ ନୋଟିସ୍ ପଠାଯାଇଛି। ଏ ନେଇ ହ୍ୱାଟ୍ସଆପ୍ ମୁଖ୍ୟ ଉଇଲ୍ କ୍ୟାଥକାର୍ଟଙ୍କୁ ଚିଠି ଲେଖା ଯାଇଛି । ଭାରତୀୟ ବ୍ୟବହାରକାରୀଙ୍କ ସୂଚନାଭିତ୍ତିକ ନିରାପତ୍ତା ଏବଂ ତଥ୍ୟର ସୁରକ୍ଷାକୁ ସମ୍ମାନ ଜଣାଇ ଗୋପନୀୟତା ନୀତି ପ୍ରତ୍ୟାହାର କରିବା ଲାଗି ସରକାର ଚିଠିରେ କହିଛନ୍ତି। ହ୍ୱାଟ୍ସଆପ୍କୁ ଏକ ସପ୍ତାହ ସମୟ ଦେଇଛି ଆଇଟି ମନ୍ତ୍ରାଳୟ। ତା’ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚୀତ କରାଯାଇଛି। ହ୍ୱାଟ୍ସଆପ୍ ପକ୍ଷରୁ ୨୦୨୧ରେ ଜାରି କରାଯାଇଥିବା ଗୋପନୀୟତା ନୀତିକୁ ଉଚ୍ଛେଦ କରିବା ପାଇଁ ମେ ୧୮ ତାରିଖରେ ନୋଟିସ୍ ଜାରି କରିଛି ମନ୍ତ୍ରାଳୟ।
ଚଳିତବର୍ଷ ଜାନୁଆରି ୪ତାରିଖରେ ହ୍ୱାଟ୍ସଆପ୍ ଏହାର ଗୋପନୀୟତା ନୀତି ପରିବର୍ତ୍ତନ ନେଇ ବ୍ୟବହାରକାରୀଙ୍କୁ ସୂଚନା ଦେଇଥିଲା। ସେହି ସୂଚନାରେ କୁହାଯାଇଥିଲା କମ୍ପାନି ଏକ ନୂଆ ଗୋପନୀୟତା ନୀତି ପ୍ରସ୍ତୁତ କରୁଛି। ଉକ୍ତ ନୀତିରେ କମ୍ପାନି ହ୍ୱାଟ୍ସଆପ୍ର ବ୍ୟବହାରକାରୀଙ୍କ ତଥ୍ୟକୁ କେତେକ କ୍ଷେତ୍ରରେ ଗ୍ରୁପ୍ କମ୍ପାନି ଫେସ୍ବୁକ୍ ଓ ଅନ୍ୟମାନଙ୍କ ସହ ସେୟାର କରାଯାଇ ପାରେ। ଏହାଦ୍ୱାରା ବ୍ୟବହାରକାରୀଙ୍କ ଗୋପନୀୟତା ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏହି ବାର୍ତ୍ତା ବ୍ୟବହାରକାରୀ ପାଇବା ମାତ୍ରେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ରୋଷ ଦେଖାଯାଇଥିଲା। ଏପରିକି ବ୍ୟବହାରକାରୀମାନେ ହ୍ୱାଟ୍ସଆପ୍ର ପ୍ରତିଯୋଗୀ ଆପ୍ ଟେଲିଗ୍ରାମ୍ ଓ ସିଗ୍ନାଲ ଆଦିକୁ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ। ବିଭିନ୍ନ ମହଲରେ ହ୍ୱାଟ୍ସଆପ୍ର ଏହି ନୀତିକୁ ବିରୋଧ କରାଯିବା ସହିତ ଏ ନେଇ କୋର୍ଟରେ ମାମଲା ଚାଲିଛି। କେନ୍ଦ୍ର ସରକାର ପୂର୍ବରୁ ମଧ୍ୟ ଏହି ଗୋପନୀୟତା ନୀତିକୁ ପ୍ରତ୍ୟାହାର କରିବା ଲାଗି କମ୍ପାନୀକୁ ନିର୍ଦେଶ ଦେଇଛନ୍ତି। ସୂଚନା ଯେ, ଭାରତ ହେଉଛି ହ୍ୱାଟ୍ସଆପ୍ର ସବୁଠୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳ। ଯେଉଁଠି ୪୦ କୋଟି ବ୍ୟବହାରକାରୀ ହ୍ୱାଟ୍ସଆପ୍ ସହିତ ଜଡ଼ିତ ଅଛନ୍ତି।