ଆଜିଠୁ ପୁରୀ ସହରରେ ରାତ୍ରୀକାଳୀନ କର୍ଫ୍ୟୁ
- ରାତି ୮ରୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା
ପୁରୀ : କରୋନାର ଦ୍ୱିତୀୟ ଲହରର ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ ସହର ସମେତ ରାଜ୍ୟର ୨୦ ଟି ସହରରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ ହେବ । ସେଥିପାଇଁ ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା କରାଯାଇଛି । ସେହିପରି ଶ୍ରୀମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇଥିବା ଶ୍ରଦ୍ଧାଳୁ ମାନେ ରାତି ସାଢ଼େ ୮ଟା ସୁଦ୍ଧା ମନ୍ଦିରରୁ ବାହାରି ଆସିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ପୂର୍ବରୁ ପ୍ରତି ରବିବାର ସାନିଟାଇଜ୍ ପାଇଁ ମନ୍ଦିର ବନ୍ଦ ରହୁଥିବା ବେଳେ ଆସନ୍ତା ୨୪ ତାରିଖ ଠାରୁ ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ମନ୍ଦିର ବନ୍ଦ ରହିବ । ୧୯ ତାରିଖ ଠାରୁ ଏହି ନୂଆ ଏସଓପି ଲାଗୁ କରାଯିବ । ଅନ୍ୟ ଦିନ ମାନଙ୍କରେ ଭକ୍ତ ମାନେ କୋଭିଡ଼୍ କଟକଣା ଅନୁପାଳନ ପୂର୍ବକ ଶ୍ରୀମନ୍ଦିରକୁ ଯାଇ ବାହାର କାଠ ନିକଟରୁ ଶ୍ରୀଜୀଉମାନଙ୍କ ଦର୍ଶନ କରିପାରିବେ । ମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବା ସହ ମାସ୍କ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ସମସ୍ତ ଭକ୍ତଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ସେହିପରି ବାହାର ରାଜ୍ୟର ଆସୁଥିବା ଲୋକ ମାନେ କୋଭିଡ଼୍ ନେଗେଟିଭ୍ ରିପୋର୍ଟ ଆଣି ଆସିବାକୁ ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ପାଇଁ ଆସିବାର ୯୬ ଘଂଟା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ନିଜର ଟେଷ୍ଟ କରାଇଥିବା ଆବଶ୍ୟକ ଏବଂ ଏହି ରିପୋର୍ଟ ନେଗେଟିଭ୍ ହୋଇଥିବ କିମ୍ବା ସମ୍ପୃକ୍ତ ବ୍ୟକ୍ତି କୋଭିଡ଼୍ ର ଦୁଇଟି ଯାକ ଡ଼ୋଜ୍ ଟୀକା ନେଇଥିବାର ଫାଇନାଲ୍ ସାର୍ଟିଫିକେଟ୍ ଦେଖାଇବା ଆବଶ୍ୟକ ।