‘ମୁଁ ବି ଦିନେ ଛାତ୍ର ଥିଲି’ ଉଦ୍ଘାଟିତ : ଶିକ୍ଷକ-ଛାତ୍ରଙ୍କ ସମ୍ପର୍କ ଯୁଗେ ଯୁଗେ ପବିତ୍ର
ବାଲେଶ୍ୱର : ବାଲେଶ୍ୱରରୁ ଉଦ୍ଘାଟନ ହେଲା ‘ମୁଁ ବି ଦିନେ ଛାତ୍ର ଥିଲି’ ସ୍ୱେଚ୍ଛାସେବୀ ସଙ୍ଗଠନ । ଶିକ୍ଷକମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ଅନୁଷ୍ଠାନ ଗଢ଼ି ଉଠିଥିବାବେଳେ ବିଭିନ୍ନ ପ୍ରକାରର ସମାଜସେବା କାର୍ଯ୍ୟରେ ଲିପ୍ତ ରହିବ ବୋଲି ଜଣାପଡ଼ିଛି । ଏହି ଅବସରରେ ସଙ୍ଗଠନ ପକ୍ଷରୁ ମନୋନୀତ ଦୁଇଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ବାଲେଶ୍ୱର ସହର ନୂଆବଜାର ସ୍ଥିତ ହୋଟେଲ ଟେଷ୍ଟି ପ୍ଲାଜା ସମ୍ମିଳନୀ କକ୍ଷରେ ‘ମୁଁ ବି ଦିନେ ଛାତ୍ର ଥିଲି’ ସ୍ୱେଚ୍ଛାସେବୀ ସଙ୍ଗଠନର ଉଦ୍ଘାଟନୀ ଉତ୍ସବ ରବିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା । ଏଥିରେ ପ୍ରତିଷ୍ଠାତା ତଥା ସଭାପତି ସର୍ବେଶ୍ୱର ବୁଗୁଡ଼ାଇ ସଭାପତିତ୍ୱ କରି ପ୍ରତିଟି ଛାତ୍ର ଶିକ୍ଷକଙ୍କ ଦ୍ୱାରା ପ୍ରତିଷ୍ଠିତ । କିନ୍ତୁ ଏବେ ଶିକ୍ଷକଙ୍କ ପ୍ରତି ସମ୍ମାନ ଓ ଭକ୍ତି ନାହିଁ । ଯେଉଁ ଶିକ୍ଷକ ନିଜ ହାତରେ ଛାତ୍ରମାନଙ୍କୁ ଡାକ୍ତର, ଇଞ୍ଜିନିୟର, ପ୍ରଫେସର, ରାଜନେତା, ଆଇଏଏସ୍, ଆଇପିଏସ୍ ଅଫିସର୍ ଭାବେ ଗଢ଼ି ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ଶେଷରେ ସେହି ଶିକ୍ଷକଙ୍କୁ ସମାଜରେ ଅବହେଳା, ଅସମ୍ମାନରେ ସାମ୍ନା କରିବା ନିଶ୍ଚିତ ଭାବେ ଦୁଃଖ ଓ ପରିତାପର ବିଷୟ । ସେହିଭଳି ଶିକ୍ଷକମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ସଙ୍ଗଠନ ଗଢ଼ି ଉଠିଥିବାର ମତ ରଖିଥିଲେ । ସାଧାରଣ ସମ୍ପାଦକ ଇନ୍ଦ୍ରଜିତ ପ୍ରଧାନ ସଙ୍ଗଠନର ଆଭିମୁଖ୍ୟ ଓ ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିବା ବେଳେ ରାଜଲକ୍ଷ୍ମୀ ଚାଟାର୍ଜୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଡ. ଶାନ୍ତନୁ ଦାସ ଯୋଗଦେଇ ଶିକ୍ଷକ-ଛାତ୍ରଙ୍କ ସମ୍ପର୍କ ଯୁଗେ ଯୁଗେ ପବିତ୍ର । ଶିକ୍ଷକ ହେଉଛନ୍ତି ଜ୍ଞାନର ଭଣ୍ଡାର ଓ ମହାନ ବ୍ୟକ୍ତିତ୍ୱର ଅଧିକାରୀ । ଯଦି ଆମେ ସମସ୍ତେ ଭାବିବା ମୁଁ ବି ଦିନେ ଛାତ୍ର ଥିଲି, ଶିକ୍ଷକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ମୁଁ ଶୀର୍ଷରେ ପହଞ୍ôଚ ପାରିଛି ତେବେ ସମାଜରେ ଶିକ୍ଷକଙ୍କ ସମ୍ମାନ ସର୍ବଦା ଅକ୍ଷୁର୍ଣ୍ଣ ରହିବ । ପ୍ରଶାସନ ତଥା ସରକାର ମଧ୍ୟ ଏ ଦିଗରେ ଯତ୍ନବାନ ହେଲେ ବିକଶିତ ରାଷ୍ଟ୍ର ଗଠନରେ ସହାୟକ ହେବ ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ଶିଳ୍ପୀ କେଶୁ ଦାସ ଯୋଗଦେଇ ବାସ୍ତବରେ ଆମେ ସମସ୍ତେ ଦିନେ ଛାତ୍ର ଥିଲୁ । ବାପା, ମା’ ଆଉ ଗୁରୁଙ୍କ ଆଶୀର୍ବାଦ ଲଭି ଆଜି ଆମେ ସମସ୍ତେ ନିଜ ନିଜ ଲକ୍ଷ୍ୟସ୍ଥଳରେ ପଞ୍ôଚ ପାରିଛୁ । ଏଥିପାଇଁ ଶିକ୍ଷକଙ୍କ ଭୂମିକା ଅତୁଳନୀୟ । ଶିକ୍ଷକ ହିଁ ଦେଶ, ଜାତି ଓ ସମାଜର ମହାନ ସମ୍ପଦ ଅଟନ୍ତି । ଜଣେ ଛାତ୍ରକୁ ଗୁରୁ ଭାବେ ଗଢ଼ି ତୋଳିବା ଦାୟିତ୍ୱ ତାଙ୍କର । ସେ ହେଉଛନ୍ତି ସେବା, ତ୍ୟାଗର ମାନବ । ତାଙ୍କର ପ୍ରେରଣା ଓ ଅଭିଜ୍ଞତା ଦ୍ୱାରା ଛାତ୍ରଛାତ୍ରୀ ସସ୍ଥାନରେ ପ୍ରତିଷ୍ଠିତ ହୋଇଥାନ୍ତି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଜ୍ୟୋତ୍ସ୍ନା ସେନାପତି ଯୋଗଦେଇ ନିଜ ଛାତ୍ର ଜୀବନୀ ସମ୍ପର୍କରେ ମତ ରଖିଥିଲେ । କିଭଳି ତାଙ୍କ ସମୟରେ ଶିକ୍ଷକ ଓ ଛାତ୍ରଙ୍କ ସମ୍ପର୍କ ଏବଂ ବର୍ତ୍ତମାନର ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।
ଏହି ଅବସରରେ ସଙ୍ଗଠନ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର ଜେନା ଏବଂ ଶିକ୍ଷକ ନେପାଳ ଗଣ୍ଡଙ୍କୁ ଉତ୍ତରୀୟ, ମାନପତ୍ର ଓ ଫୁଲତୋଡ଼ା ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ପ୍ରତିଉତ୍ତରରେ ଶିକ୍ଷକ ଦ୍ୱୟ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାରୁ ସଙ୍ଗଠନକୁ ଧନ୍ୟବାଦ ଦେଇଥିଲେ । ସେହିପରି ଏହି ସଙ୍ଗଠନ ସମସ୍ତଙ୍କ ସଦିଚ୍ଛା ଓ ସହଯୋଗ ପାଇ ନିଶ୍ଚିତ ଭାବେ ମହକି ଉଠିବ, ସର୍ବବ୍ୟାପୀ ହେବ ଏବଂ ସମଗ୍ର ଜିଲାରେ ଅଗ୍ରଣୀ ଲାଭ କରିବ ବୋଲି ଆଶାପୋଷଣ କରିଥିଲେ । କାର୍ଯ୍ୟକ୍ରମରେ ସଙ୍ଗଠନର ସଦସ୍ୟ ସିଲନ ପ୍ରଧାନ, ରଣଜିତ ଦାସ, ଆଶିଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।